ଗୋପ : ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ତୃତୀୟ ଥର ପାଇଁ ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଗତକାଲି ଅପରାହ୍ଣରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ରପଚାର ପରେ ସଂଧ୍ୟାରେ ବୟାନ ରେକର୍ଡ କରିଛି ବଳଙ୍ଗା ପୋଲିସ । ୩୦ ମିନିଟ୍ ଧରି ପୀଡିତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ତିନି ଥର ସମାନ ଉତ୍ତର ସହିତ ସମାନ କଥା କହିଛନ୍ତି ପୀଡିତା ।
ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ପାଇଁ ଅସ୍ତ୍ରପଚାର ସରିବା ପରେ ଏମସ୍ କର୍ତ୍ତୃପକ୍ଷଙ୍କୁ ପିଡ଼ିତାର ବୟାନ ରେକର୍ଡ ପାଇଁ ଅନୁମତି ମଗା ଯାଇଥିଲା । ଅନୁମତି ମିଳିବା ପରେ ବଳଙ୍ଗା ଥାନା ଓଆଇସି ଦିବ୍ୟ ରଞ୍ଜନ ପଣ୍ଡା, ଘଟଣାର ତଦନ୍ତ ଭାର ଦାୟୀତ୍ୱରେ ଥିବା ପୁରୀ ହେଡକ୍ୱାର୍ଟର DSP କଳ୍ପନା କାହଁରି ବୟାନ ରେକର୍ଡ କରିଥିଲେ । ପୀଡ଼ିତାଙ୍କ ଦାଦାଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯିବା ସହ ସମ୍ପୂର୍ଣ୍ଣ ଭିଡିଓ କରାଯାଇଛି ।
ଗତକାଲି ଦିଲ୍ଲୀ ଏମସରେ ପହଞ୍ଚିବା ପରେ ପୀଡ଼ିତାଙ୍କ ବାପା, ପିଉସୀଙ୍କୁ ୩୦ ମିନିଟ ଧରି ପଚରା ଉଚରା କରାଯାଇଥିଲା । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୧୦ ଦିନ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣା ଉପରୁ ପରଦା ଉଠାଇ ପାରିନାହିଁ ତଦନ୍ତ କାରୀ ଟିମ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପୀଡ଼ିତାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି ।