ଭୁବନେଶ୍ୱର : ବଳଙ୍ଗା ନାବାଳିକା ପୋଡି ଘଟଣାର ତନାଘନା । ଘଟଣାକୁ ୭ ଦିନ ବିତିଥିଲେ ମଧ୍ୟ ଏଯାଏଁ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ର ହାତ ଖାଲି । ତେବେ ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦି ଏହି ଘଟଣାର ଖୋଲିବ ଗୁମର । ଏହି ମୁଦିଟି ଯେଉଁ ଦୋକାନରୁ କିଣାଯାଇଥିଲା ଦୋକାନୀ ତାହାକୁ ଚିହ୍ନଟ କରିଛନ୍ତି । ରୁପା ମୁଦିଟି ବଳଙ୍ଗା ବଜାରରେ ଥିବା କ୍ରିଷ୍ଣା ଜୁଏଲାରୀରୁ କିଣା ଯାଇଥିବା ସୂଚନା ମିଳିବା ପରେ, କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏହାକୁ ଅଢେଇମାସ ପୂର୍ବରୁ କିଣା ଯାଇଥିବାବେଳେ ପୀଡିତା ନାବାଳିକାଙ୍କ ସହିତ ତାଙ୍କର ଅନ୍ୟ ଜଣେ ବାନ୍ଧବୀ ଯାଇ କିଣିଥିବା ଦୋକାନୀ କହିଛନ୍ତି । ପୀଡ଼ିତାଙ୍କ ସାଙ୍ଗ, ପଡ଼ୋଶୀ, ଅଳଙ୍କାର ଦୋକାନୀଙ୍କୁ ରାତି ତମାମ ଜେରା କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ପଛର କଣ କାହାଣୀ ରହିଛି ଏବଂ କିଏ କିଏ ସମ୍ପୃକ୍ତ ଅଛନ୍ତି କୌଣସି ଖିଅ ପାଇ ନାହାନ୍ତି ତଦନ୍ତକାରୀ ଟିମ I ଏହି ଘଟଣାରେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ପଚାରିବାରୁ, ଏନେଇ କିଛି କହିବାକୁ ମନା କରି ଦେଇଛନ୍ତି।
ସେପଟେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ଭିତରେ ଅଛନ୍ତି ନାବାଳିକାଙ୍କୁ ଉଦ୍ଧାର କରିଥିବା ଦୁଃଖିଶ୍ୟାମ ସେନାପତି । ଘଟଣାକୁ ନେଇ ତାଙ୍କୁ ଧମକ ମିଳୁଥିବା ଏବଂ ଜୀବନପ୍ରତି ବିପଦ ଥିବା ଅଭିଯୋଗ ପରେ ତାଙ୍କ ଘର ସାମ୍ନାରେ ୨୪ ଘଣ୍ଟା କଡା ସୁରକ୍ଷା ଦେଉଛି ପୁଲିସ । ନାବାଳିକା ପୋଡିଯିବା ପରେ ପ୍ରଥମେ ଦୌଡ଼ି ଦୌଡ଼ି ଆସି ଦୁଃଖିଶ୍ୟାମଙ୍କୁ ସାହାଯ୍ୟ ମାଗିଥିଲେ । ସେ ପୀଡ଼ିତାଙ୍କ ଶରୀରରୁ ନିଆଁ ଲିଭାଇବା ସହ ପୋଲିସକୁ ଖବର ଦେଇଥିଲେ ।
ସୂଚନାନୁସାରେ, ଗତ ଜୁଲାଇ ୧୯ ତାରିଖ ସକାଳ ପ୍ରାୟ ୮ ଟା ବେଳେ ପୁରୀ ଜିଲ୍ଲାର ବଳଙ୍ଗା ଭାର୍ଗବୀ ନଦୀ ପଠାରେ ବର୍ବରକାଣ୍ଡ ଘଟାଇଥିଲେ ୩ ଜଣ ଦୁର୍ବୁତ୍ତ । ରାସ୍ତାରୁ ନାବାଳିକାଙ୍କୁ ସକାଳୁ ଉଠାଇ ନେଇ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । କୌଣସି ମତେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଗାଁ ମଝିରେ ପହଞ୍ଚିଥିଲେ ପୀଡ଼ିତା । ଏହି ସମୟରେ ଦୁଃଖିଶ୍ୟାମ ସେନାପତି ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ୭୫ ଭାଗ ପୋଡି ଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି । ପୋଡ଼ିଯାଇଥିବା ସ୍ଥାନରେ ଗତକାଲି ତାଙ୍କର ସ୍କିନ ଟ୍ରାନ୍ସପ୍ଲାଣ୍ଟ ହୋଇଛି ।