ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ମଥୁରାର ଯମୁନା ଏକ୍ସପ୍ରେସେୱ ନିକଟରେ ଏକ ସୁଟକେସ ଭିତରୁ ଦିଲ୍ଲୀର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ତେବେ ସମ୍ପୃକ୍ତ ଯୁବତୀଙ୍କୁ ନିଜ ବାପା ହତ୍ୟା କରି ସୁଟକେଶ ଭିତରେ ଭର୍ତ୍ତି କରି ଫିଙ୍ଗି ଥିବା ପୁଲିସ କହିଛି । ମଥୁରା ପୁଲିସ ଅଧୀକ୍ଷକଙ୍କ ଅନୁଯାୟୀ ମୃତ ଆୟୁଷୀ ଯାଦବଙ୍କ ପିତାମାତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ନୀତେଶ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ କହିଛି । ଆୟୁଷୀ ଭିନ୍ନ ଜାତିର ପୁଅକୁ ବିବାହ କରିବାରୁ ଏଭଳି ପରିଣାମର ସୂତ୍ରପାତ ହୋଇଥିଲା । ତେବେ ବିବାହ ପୂର୍ବରୁ ସମ୍ପର୍କକୁ ବାପା ନୀତେଶ ଝିଅକୁ ବାରଣ କରିଥିଲେ । କି;ୁ ସେ ଶୁଣି ନଥିଲେ ।
ଆୟୁଷୀ ଅନେକ ସମୟରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଦକ୍ଷିଣ ଦିଲ୍ଲୀର ବଦରପୁରରେ ରହୁଥିବା ବାପା ମୃତଦେହକୁ ଚିହ୍ନଟ କରିବାକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଖୋଜିବା ପାଇଁ ଏକ ପୁଲିସ ଟିମକୁ ନିୟୋଜିତ କରାଯାଇଛି । ପୁଲିସ ସୂତ୍ର ଅନୁସାରେ, ଆୟୁଷୀ ନିଜ ପରିବାରକୁ ନଜଣାଇ ଛତ୍ରପାଲ ନାମକ ଜଣେ ଯୁବକଙ୍କକୁ ବିବାହ କରିଥିଲେ ।
ଏଥିରେ ତାଙ୍କ ପାରିବାର ସମ୍ମାନରେ ଆଞ୍ଚ ଆସିଥିଲା । ଫଳରେ ନୀତେଶଙ୍କ ପାଖରେ ଥିବା ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଝିଅ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ତାଙ୍କ ମୃତଦେହକୁ ନୀତୀଶ ଯାଦବ ଏକ ସୁଟକେସରେ ପ୍ୟାକ୍ କରି ମଥୁରାରେ ପକାଇ ଦେଇଥିବା ପୁଲିସ କହିଛି । ଗତ ଶୁକ୍ରବାର ମଥୁରାର ଯମୁନା ଏକ୍ସପ୍ରେସେୱ ନିକଟରେ ଏକ ପ୍ଲାଷ୍ଟିକ ଆବୃତ ବଡ଼ ନାଲି ସୁଟକେସରେ ଆୟୁଷୀଙ୍କ ମୃତଦେହ ମିଳିଥିଲା । ତାଙ୍କ ମୁହଁ ଏବଂ ମୁଣ୍ଡରେ ରକ୍ତ ଛିଟା ଥିଲା । ଶରୀରରେ ମଧ୍ୟ ଆଘାତ ଚିହ୍ନ ରହିଥିଲା ବୋଲି ପୁଲିସ କହିଛି । ସ୍ଥାନୀୟ ଶ୍ରମିକମାନେ ଏହି ସୁଟକେସକୁ ଦେଖି ପୁଳିସକୁ ଡାକି ଖବର ଦେଇଥିଲେ ।

Comments are closed.