ବ୍ୟବହାର ହେଉନଥିବା କିମ୍ବା ଅଦରକାରୀ ସାମଗ୍ରୀକୁ ସାଧାରଣତଃ ଆମେ ଛାତରେ ରଖିଦେଉ । ଛାତରେ କମ୍ ଚଳପ୍ରଚଳ ହେଉଥିବା କାରଣରୁ କିଛି ଲୋକ ଏହିପରି କରିଥାନ୍ତି । ହେଲେ ବାସ୍ତୁ ଅନୁସାରେ, କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ରହିଛି, ଯାହାକୁ ଛାତ ଉପରେ ରଖିବା ଅଶୁଭ । ଏହିପରି କଲେ ଘରେ ଧନହାନୀ, ନକରାତ୍ମକ ଶକ୍ତିର ବାସ ସହିତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ । ଏଣୁ ବାସ୍ତୁ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀକୁ ଛାତ ଉପରେ ରଖିବାକୁ ବାରଣ କରିଛି ।
ଭଙ୍ଗା ମାଠିଆ ଏବଂ କୁଣ୍ଡ-
ଭଙ୍ଗା ମାଠିଆ କିମ୍ବା ଭଙ୍ଗା କୁଣ୍ଡକୁ ଛାତ ଉପରେ ରଖିବା ଅଶୁଭ । ବାସ୍ତୁ ଅନୁସାରେ, ଏହିପରି କଲେ ଭାଗ୍ୟ ଉପରେ ସିଧାସଳଖ କୁପ୍ରଭାବ ପଡ଼େ । କୌଣସି ହୋଇଆସୁଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ଓ ତାହା ଅସଫଳ ହୋଇଯାଏ । ଭଙ୍ଗା ମାଠିଆ ଭଳି ଭାଗ୍ୟ ମଧ୍ୟ ଧୀରେ ଧୀରେ ଭାଙ୍ଗିବାକୁ ଲାଗେ ।
ଆବର୍ଜନା-
ଘର ଛାତରେ କୌଣସି ପ୍ରକାରର ଆବର୍ଜନା କରନ୍ତୁ ନାହିଁ । ଏହିପରି କଲେ ଧନହାନୀ ହୁଏ ।
ଶୁଖିଲା ପତ୍ର-
ଘର ଛାତ ପାଖରେ ଗଛ ରହିଥିଲେ, ଶୁଖିଲା ପତ୍ର ଛାତରେ ପଡ଼ିଥାଏ । ପ୍ରତ୍ୟେକ ଦିନ ଘରର ଅଗଣା ଝାଡ଼ୁ କଲା ଭଳି ଛାତର ଶୁଖିଲା ପତ୍ରକୁ ଝାଡୁ କରିବା ଆବଶ୍ୟକ । ଏହିପରି ନକଲେ ଘରେ ପରିବାର ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହେବା ସହିତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ।
ବାଉଁଶ-
ଘରର ଛାତ ଉପରେ ବାଉଁଶ ରଖିବା ଅଶୁଭ ହୋଇଥାଏ । ଛାତରେ ବାଉଁଶ ରହିଲେ, ଘରେ ନକରାତ୍ମକ ଶକ୍ତିର ସଞ୍ଚାର ହୁଏ । ବିନା କାରଣରେ ମନରେ ସବୁ ବେଳେ ଏକ ହତାସ ଭାବ ସୃଷ୍ଟି ହୁଏ । ମାନସିକ ଚାପ ବଢ଼େ ।
ଝାଡ଼ୁ-
ବାସ୍ତୁ ହିସାବରେ ଛାତରେ ଝାଡ଼ୁ ରହିବା ଅଶୁଭ । ଏଥିରେ ଘରର ଆର୍ଥିକ ପରିସ୍ଥିତି ଭଲ ରୁହେ ନାହିଁ । ଘରେ ମାଆ ଲକ୍ଷ୍ମୀଙ୍କ କୃପା ରୁହେ ନାହିଁ ।
ରସି-
ଛାତ ଉପରେ ଲୁଗା ଶୁଖାଇବା ପାଇଁ ରସି ବାନ୍ଧିବା ଉଚିତ୍ । ହେଲେ କୌଣସି ଅବ୍ୟବହୃତ ରସି ପେନ୍ଥା ବା ଅଦରକାରୀ ରସି ଖଣ୍ଡ ଛାତରେ ରଖିବା ଅନୁଚିତ୍ । ବାସ୍ତୁ ଅନୁସାରେ, ରସି ନକରାତ୍ମକ ଶକ୍ତିକୁ ଆକର୍ଷିତ କରେ । ଫଳରେ ସେହି ଶକ୍ତି ବଳରେ ଘରେ ଅଶାନ୍ତି ଲାଗି ରହିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଘରେ ଏକ ଭୟର ବାତାବରଣ ସୃଷ୍ଟି ହୁଏ ।
କଳଙ୍କି ଲାଗିଥିବା ସାମଗ୍ରୀ-
ଘରେ ଯଦି କୌଣସି ସାମଗ୍ରୀରେ କଳଙ୍କି ଲାଗିଯାଉଛି, ତେବେ ତାହାକୁ ଛାତ ଉପରେ ପକାଇବା ପରିବର୍ତ୍ତେ ଫୋପାଡ଼ି ଦିଅନ୍ତୁ । ଏହିପରି ସାମଗ୍ରୀକୁ ଛାତ ଉପରେ ରହିଲେ, ବିନା କାରଣରେ ଘରର ସଦସ୍ୟଙ୍କ ମନରେ ସନ୍ଦେହ, କଳହ, ଅଶୁଭ ଭାବନା ଆଦି ଜାଗ୍ରତ ହୁଏ । ସବୁ କାର୍ଯ୍ୟ ଅସଫଳ ହୁଏ ।
ପୁରୁଣା କାଗଜ-
ପୁରୁଣା କାଗଜ ବା କାର୍ଟୁନ୍ ଛାତ ଉପରେ ରଖିଲେ, ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ ।

Comments are closed.