ଦୁବାଇ : ଏସୀୟ କପ କ୍ରିକେଟରେ ପାକିସ୍ଥାନକୁ ପୁଣି ଏକ ଝଟକା । ଖେଳ ପଡିଆରେ ପାକିସ୍ତାନକୁ ବାରମ୍ବାର ଲଜ୍ଜିତ ହେବାକୁ ପଡିଛି । ଗତକାଲି ଭାରତ -ପାକ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଏସିଆ କପ ଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ୫ ୱିକେଟରେ ମାତ ଦେଇ ବାଜି ମାରି ନେଇଛି ଭାରତ । ମ୍ୟାଚପରେ ନକଭିଙ୍କ ହାତରୁ ଟ୍ରଫି ନେଇ ନଥିଲା ଟିମ୍ ଇଣ୍ଡିଆ । ଏହାପରେ ଷ୍ଟାଡିୟମରେ ଦେଖାଦେଇଥିଲା ଅରାଜକତା ।
ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଭାରତ ଫାଇନାଲ ଜିତିଥିବାରୁ ସେମାନଙ୍କୁ ଟ୍ରଫି ଦେବାକୁ ମଞ୍ଚରେ ଅପେକ୍ଷା କରି ରହିଥିଲେ ଏସିସି ଅଧ୍ୟକ୍ଷ । ହେଲେ ଟ୍ରଫି ନେବାକୁ ସଫା ସଫା ମନା କରିଥିଲା ଭାରତ । ବିନା ଟ୍ରଫିରେ ଭାରତୀୟ ଦଳ ବିଜୟ ସେଲିବ୍ରେସନ କରିଥିଲା । ଫଳରେ ମଞ୍ଚରେ ହଟହଟ୍ଟା ହୋଇଥିଲେ ଏସୀୟ କ୍ରିକେଟ ପରିଷଦ (ଏସିସି)ର ମୁଖ୍ୟ ମୋହସିନ ନକଭି । ଭାରତୀୟ ଖେଳାଳିମାନଙ୍କ ପଦକ ଏବଂ ଏସିଆ କପ୍ ଟ୍ରଫି ନେଇ ହୋଟେଲକୁ ଚାଲିଯାଇଥିଲେ ନକଭି। ଯାହାକୁ କଡ଼ା ଭର୍ସନା କରିଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଯଦି ଭାରତୀୟ ଦଳ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ଚାହୁଁନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ ସେ ଏହାକୁ ତାଙ୍କ ହୋଟେଲକୁ ଫେରାଇ ନେବା ଉଚିତ। ଏପରି କରିବା ଖେଳର ନିୟମ ବିରୁଦ୍ଧରେ ଥିଲା।
ନକଭିଙ୍କଠାରୁ ଟିମ୍ ଇଣ୍ଡିଆର ଟ୍ରଫି ଗ୍ରହଣ କରିବାକୁ ମନା କରିବା ସମ୍ପର୍କରେ, ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି “ଭାରତ ଏକ ଦେଶ ସହିତ ଯୁଦ୍ଧ କରୁଛି । ସେହି ଦେଶର ଜଣେ ନେତାଙ୍କ ଠାରୁ କେମିତି ଟ୍ରଫି ଗ୍ରହଣ କରିବୁ ।ସେଥିପାଇଁ ଆମେ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ଆମ ଦେଶକୁ ଦିଆଯିବା କଥା ଟ୍ରଫି ଏବଂ ପଦକକୁ ତାଙ୍କ ହୋଟେଲ ରୁମକୁ ନେଇଯିବେ। ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ଯଥାଶୀଘ୍ର ଟ୍ରଫିକୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।
ଦେବଜିତ୍ ସାଇକିଆ ଆହୁରି କହିଛନ୍ତି,” ଆମ ସଶସ୍ତ୍ର ବଳ ସୀମାରେ ଅପରେସନ୍ ସିନ୍ଦୂରକୁ ସଫଳ କରିଥିଲେ । ଏବେ ଦୁବାଇ ଗ୍ରାଉଣ୍ଡରେ ଏହାର ରିପିଟ୍ ହୋଇଛି । ଏହା ଏକ ସୁନ୍ଦର ମୂହୁର୍ତ୍ତ, ଭାରତୀୟ କ୍ରିକେଟ ପାଇଁ ମହତ୍ତ୍ବପୂର୍ଣ୍ଣ ଅବସର । ପ୍ରଥମେ ଅପରେସନ୍ ସିନ୍ଦୂର ହୋଇଥିଲା ଏବେ ଅପରେସନ୍ କିଲା । ମୋତ ଲାଗୁନାହିଁ କି ଦୁବାଇରେ ଅନ୍ତିମ ମ୍ୟାଚରେ ଏହାଠୁ ଭଲ ଜବାବ୍ ଆଉ କିଛି ନାହିଁ । ”
ନଭେମ୍ବରରେ ଦୁବାଇରେ ICC ସମ୍ମିଳନୀ ହେଉଛି। ପରବର୍ତ୍ତୀ ସମ୍ମିଳନୀରେ, ଆମେ ACC ସଭାପତିଙ୍କ କାର୍ଯ୍ୟ ବିରୁଦ୍ଧରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଦୃଢ଼ ପ୍ରତିବାଦ ଜଣାଇବୁ।
ଅନ୍ୟପଟେ ,ଏସିଆ କପ୍ ଫାଇନାଲରେ ଭାରତର ଚିତ୍ତାକର୍ଷକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟକୁ ଅପରେସନ ସିନ୍ଦୂର ସହ ତୁଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ- ଭାରତର ବିଜୟ ହୋଇଛି । ଆମ ଖେଳାଳିଙ୍କୁ ଅଭିନନ୍ଦନ ।’
