ମୁମ୍ବାଇ: ବର୍ଷିଆନ ଅଭିନେତା ଆଶୁତୋଷ ରାଣା ହିନ୍ଦୀ ସିନେମାର ଜଣାଶୁଣା ଚେହେରା । ସେ ନକାରାତ୍ମକ ଚରିତ୍ରକୁ ଏକ ନୂଆ ରୂପରେ ପରଦାରେ ପଦର୍ଶିତ କରିଥିଲେ । ତାଙ୍କର ଚମତ୍କାର ଏବଂ ବଳିଷ୍ଠ ଅଭିନୟକୁ ସବୁ ବର୍ଗର ଦର୍ଶକମାନେ ଖୁବ ପସନ୍ଦ କରନ୍ତି । ଆଶୁତୋଷ ରାଣା କେବଳ ଅଭିନେତା ନୁହେଁ ପ୍ରଯୋଜକ ଏବଂ ଲେଖକ ଭାବେ ମଧ୍ୟ ସାରା ଦେଶରେ ବେଶ୍ ପରିଚିତ । ବୁଧବାର ଅଭିନେତା ଆଶୁତୋଷ ନିଜ ୫୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ନିକଟରେ ନିଜ ପ୍ରେମ କାହାଣୀ ବିଷୟରେ କହିଛନ୍ତି ।
ଅଭିନେତ୍ରୀ ରେଣୁକା ଶହାଣେଙ୍କୁ ଆଶୁତୋଷ ବିବାହ କରିଛନ୍ତି । ରେଣୁକା ଏବଂ ଆଶୁତୋଷଙ୍କ ପ୍ରଥମ ଭେଟ ଫିଲ୍ମ ଜୟତୀ ସେଟ୍ରେ ହୋଇଥିଲା । ଏହି ସମୟରେ ସେ ରେଣୁକାଙ୍କୁ ପ୍ରଥମ ନଜରରେ ହିଁ ପସନ୍ଦ କରିଥିଲେ ।
ହେଲେ ସୁଟିଂ ଶେଷ ହେବା ପରେ କେତେ ମାସ ପର୍ଯ୍ୟନ୍ତ ଉଭୟ କଥାବାର୍ତ୍ତା କରିନଥିଲେ । ଏହାପରେ ୧୯୯୮ରେ ଆଶୁତୋଷ ରେଣୁକାଙ୍କୁ ଫୋନରେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଯାହାପରେ ଉଭୟ ପରସ୍ପରର ନିକଟତର ହୋଇଥିଲେ । କିଛି ସମୟ ପରେ ଆଶୁତୋଷ ରେଣୁକାଙ୍କୁ କବିତା ଶୁଣାଇ ପ୍ରପୋଜ୍ କରିଥିଲେ । ରେଣୁକା ମଧ୍ୟ କବିତା ମାଧ୍ୟମରେ ଏହାର ଜବାବ ଦେଇଥିଲେ । ଏବେ ଉଭୟଙ୍କର ଦୁଇଟି ସନ୍ତାନ ଶୌର୍ଯ୍ୟମନ ଏବଂ ସତ୍ୟେନ୍ଦ୍ର ଅଛନ୍ତି ।
ଆଶୁତୋଷ ହିନ୍ଦୀ ବ୍ୟତୀତ ମରାଠୀ, ତେଲୁଗୁ, କନ୍ନଡ ଓ ତାମିଲ ଭାଷାରେ ଅଭିନୟ କରିଛନ୍ତି । ଦୁଶମନ ଏବଂ ସଂଘର୍ଷ ପରି ଫିଲ୍ମରେ ତାଙ୍କର ଭିନ୍ନ ରୋଲ୍କୁ ଆଜି ବି ସିନେପ୍ରେମୀମାନେ ମନେ ରଖିଛନ୍ତି । ସେ ନିଜ କ୍ୟାରିଅର ଟେଲିଭିଜନ ଶୋରୁ ଆରମ୍ଭ କରିଥିଲେ ।
ସ୍ୱାଭିମାନ, ଫର୍ଜ, ସାଜିଶ, ବାରିଶ ଏବଂ ବାଜି ପରି ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି । ହେଲେ ଦୁଶମନ୍ ଫିଲ୍ମ ତାଙ୍କୁ ପରିଚିତ କରାଇପାରିଥିଲା ।
Comments are closed.