ନୟାଗଡ଼ : ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ କରି ମାଡ଼ ମାରିବା ଅଭିଯୋଗ । ଆକ୍ରମଣର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଆଶାକର୍ମୀ ଟୁନି ମହାପାତ୍ର । ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଔଷଧ ଦେବାକୁ ଯାଇଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଗାଁ ଦାଣ୍ଡରେ ଵିଵସ୍ତ୍ର କରି ଛୁଟି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେହି ସମୟରେ ଜଣେ ଯୁବକ ଆଶା କର୍ମୀଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ।
ଘଟନାନୁସାରେ, ଆଶାକର୍ମୀ ଟୁନି ମହାପାତ୍ର ଝାଡ଼ାବାନ୍ତି ବ୍ୟାଥିବା ଅଞ୍ଚଳରେ ଆକ୍ରାନ୍ତଙ୍କ ଘରକୁ ଯାଇ ଔଷଧ ଦେଇ ଫେରୁବା ବେଳେ ସେହି ଗ୍ରାମର ସୁବାସ ବେହେରା, ଲୋକନାଥ ବେହେରା ଓ ଆଉ ଦୁଇଜଣ ଅଜଣା ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଗାଳିଗୁଲଜ କରିଥିଲେ । ଆଶାକର୍ମୀ ଟୁନି ବାରଣ କରିବାରୁ ସେମାନେ ଗାଁ ଦାଣ୍ଡରେ ତାଙ୍କୁ ଉଲଗ୍ନ କରି ମାଡ଼ମାରିଥିଲେ ।
ଏହି ସମୟରେ ଗାଁର ମାୟାଧର ପ୍ରଧାନ ନାମକ ଜଣେ ଯୁବକ ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଖଣ୍ଡା ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି । ଘଟଣାସ୍ଥଳରୁ ଉଭୟ ଆଶାକର୍ମୀ ଓ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏନେଇ ଆଶାକର୍ମୀ ଜଣକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ଫତେଗଡ଼ ଥାନା ପୁଲିସ ବିଳମ୍ବିତ ରାତିରେ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି।

Comments are closed.