ଓଲିଉଡର ଆଗ ଧାଡିର ନାୟିକାଙ୍କ ଭିତରେ ଅର୍ଚ୍ଚିତା ସାହୁଙ୍କର ନାଁ ସବୁଠାରୁ ଆଗରେ ଆସିଥାଏ । ତାଙ୍କ ଅଭିନୟ ବଡ ପରଦାରେ ଦେଖିବାକୁ ଫ୍ୟାନ୍ମାନେ ସବୁବେଳେ ଚାହିଁ ବସି ଥାଆନ୍ତି । ରଜରେ ନିଜ ଫ୍ୟାନଙ୍କ ପାଇଁ ଅର୍ଚ୍ଚିତା ଏକ ଭିନ୍ନ ସ୍ୱାଦର ଫିଲ୍ମ ବୋଉ ବୁଟୁ ଭୂତ ନେଇ ଆସିଛନ୍ତି ।
ଲଗାତାର ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ନିକଟରେ ଫିଲ୍ମ ପାଦେ ଆକାଶ ତାଙ୍କୁ ଖୁବ ଲାଇମ୍ ଲାଇଟ୍ରେ ରଖିଥିଲା । ଏହି ଫିଲ୍ମରେ ସେ ଏକ ଭିନ୍ନ ଚରିତ୍ରରେ ନଜର ଆସିଥିଲେ । ସେହିଭଳି ଆଉ ଏକ ଭିନ୍ନ ଫିଲ୍ମ ବୋଉ ବୁଟୁ ଭୂତରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳୁଛି । ଏଥିରେ ତାଙ୍କ ଚରିତ୍ର ଖୁବ ଭିନ୍ନ ରହିଛି । କିଭଳି ଜଣେ ଗୁଣିଗାରେଡି ପରିବାରର ପୁଅକୁ ସେ ଭଲ ପାଇଛନ୍ତି, ହେଲେ ତାଙ୍କ ବିବାହରେ ଖୁବ ସମସ୍ୟା ଉପୁଜିଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଏଥିରେ ଅର୍ଚ୍ଚିତାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି । ୧୯୯୦ ଜୁନ୍ ୨୯ରେ ରାଉରକେଲାରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚିତା ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲଫିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ପିଲାଦିନୁ ନୃତ୍ୟ ପାଇଁ ଅର୍ଚ୍ଚିତାଙ୍କର ଖୁବ ଦୁର୍ବଳତା ରହିଥିଲା । ସେ ଓଡିଶୀରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । ସେ ଅନେକ ସମୟରେ ଓଡିଶୀକୁ ବିଭିନ୍ନ ଜାତୀୟ ସ୍ତରରେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥାଏ । କେବଳ ନୃତ୍ୟ ନୁହେଁ ତାଙ୍କର ଅଭିନୟ ପ୍ରତି ଥିବା ଦୁର୍ବଳତା ତାଙ୍କୁ ଆଜି ଏଠାରେ ପହଞ୍ଚାଇଛି । ତାଙ୍କର ମଡେଲିଂ ଜଗତରେ ମଧ୍ୟ ନାଁ ରହିଛି । ୨୦୧୩ରେ ତାଙ୍କୁ କୋଲକାତା ରିଜନର ଫେମିନା ମିସ୍ ଇଣ୍ଡିଆ ପ୍ରତିଯାଗିତାରେ ଦେଖିବାକୁ ମିଳିଥିଲା । ଏଥିରେ ସେ ଫାଷ୍ଟ ରନର୍ସ ଅପ ଘୋଷିତ ହୋଇଥିଲେ । ଯାହା ଓଡ଼ିଶା ପାଇଁ ଗର୍ବ ଥିଲା । ସେହିଭଳି ୨୦୦୪ରେ ଖୁବ କମ ବୟସରେ ସେ ମିସ୍ କଳିଙ୍ଗ କ୍ରାଉନର ବିଜେତା ହୋଇଥିଲେ । ତେବେ ଏଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଜିତିବା ପରେ ବଲିଉଡରେ ସୁଯୋଗ ମିଳିବା ସହଜ ହୋଇଥାଏ ହେଲେ ଅର୍ଚ୍ଚିତାଙ୍କ ନିଜ ରାଜ୍ୟ ଓଡ଼ିଶା ପାଇଁ ଥିବା ଅନନ୍ୟ ଭଲପାଇବା ତାଙ୍କୁ ଓଡ଼ିଶାରେ ରଖିଥିଲା । ସେ ବଲିଉଡ ପରିବର୍ତ୍ତେ ଓଲିଉଡରେ ହିଁ ନିଜ କ୍ୟାରିୟର ଗଢିଥିଲେ । ୨୦୦୫ରେ ସେ ଓ ମାଇ ଲଭ୍ ଫିଲ୍ମ ଜରିଆରେ ଓଲିଉଡ ଫିଲ୍ମ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମରେ ଦେଖିବାକୁ ମିଳିଥିଲା । ତାଙ୍କୁ ବାବୁ ଆଉ ଲଭ୍ୟୁୟୁ, ତୋ ବିନା ମୋ କାହାଣୀ ଅଧା, ଆକାଶେ କି ରଙ୍ଗ ଲାଗିଲା, ଲୋଫର, ଏସିପି ସାଗରିକା, ରଜାଝିଅ ସଂଗେ ହେଇଗଲା ଭାବ, କେବେ ତମେ ନାହଁ କେବେ ମୁଁ ନାହିଁ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ପ୍ରାୟ ସବୁ ଫିଲ୍ମରେ ଦର୍ଶକ ତାଙ୍କୁ ଖୁବ ଭଲ ପାଇବା ଦେଇଥିଲେ ଯାହା ଫଳରେ ସେ ଓଲିଉଡର ଷ୍ଟାର ହିରୋଇନ୍ଙ୍କ ତାଲିକାରେ ସାମିଲ ହୋଇଥିଲେ । ଅର୍ଚ୍ଚିତା ୨୦୨୧ ସୁଦ୍ଧା ପାଖାପାଖି୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ଆଗକୁ ମଧ୍ୟ ଏହି ଧାରା ଆହୁରି ଜାରି ରହିବ । ୨୦୨୧ ମସିହା ମାର୍ଚ୍ଚ ୧ତାରିଖରେ ସେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ । ଏହା ତାଙ୍କର ପ୍ରେମ ବିବାହ ଥିଲା । ତେବେ ସବ୍ୟସାଚୀଙ୍କ ଏହା ଦ୍ୱିତୀୟ ବିବାହ ଥିବାରୁ ସେତେବେଳେ ଏହା ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ପ୍ରଥମେ ପାଦେ ଆକାଶ ଓ ତାପରେ ବୋଉ ବୁଟୁ ଭୂତ ଭଳି ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସବୁବେଳେ ସେ କାହାଣୀକୁ ନେଇ ଏକ୍ସପେରିମେଣ୍ଟ କରିଥାଆନ୍ତି ବୋଲି ତାଙ୍କ ଫ୍ୟାନମାନେ ମତ ଦେଇଛନ୍ତି ।

Comments are closed.