ଦିଲ୍ଲୀ : ଓଡ଼ିଆ ଚଳଚ୍ଚିତ୍ରର ଏକ ନୂଆ ଯୁଗ ପ୍ରାରମ୍ଭ ହୋଇଛି । ଅଭିନେତା ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନର ଜାତୀୟ ସ୍ତରରେ ଚର୍ଚ୍ଚା ହେଉଥିଲା ବେଳେ ଏବେ ପ୍ରତୀକ୍ଷା ଫିଲ୍ମର କାହାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହିତ ଖୁବ୍ ଶିଘ୍ର ଏହି ଓଡ଼ିଆ ଚଳଚ୍ଚିତ୍ରର ହିନ୍ଦୀ ରିମେକ କରିବାକୁ ବଲିଉଡ୍ର ଭେଟେରାନ ଆକଫର ଅନୁପମ ଖେର ପ୍ରତିଶ୍ରୁତି ଦେଇଛନ୍ତି । ଗୋଆଠାରେ ଅନୁଷ୍ଠିତ ହୋଇଥିବା ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଅନୁପମ ଖେର ଏହି ଘୋଷଣା କରିଛନ୍ତି ।
ଫିଲ୍ମ ପ୍ରତୀକ୍ଷା ଦେଖିବା ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ଚଳଚ୍ଚିତ୍ରର କାହାଣୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଏହା ଉଚ୍ଚ କୋଟିର ହୋଇଥିବାରୁ ଏହାକୁ ହିନ୍ଦୀ ଭାଷାରେ ରିମେକ କଲେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହା ପହଞ୍ଚି ପାରିବ ବୋଲି ଅନୁପମ ଖେର କହିଛନ୍ତି ।
ଫିଲ୍ମ ପ୍ରତୀକ୍ଷା ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ଏବଂ ନିର୍ଦ୍ଦେଶିତ । ରୋଶନ ବିଶୋଇ ଏବଂ ଗୌରହରି ଦାସ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଅଙ୍କେଶ ଆନନ୍ଦ, ଆଶିଷ ପ୍ରଧାନ ଏବଂ ବିଭାସ ରଥ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଥିଲା ବେଳେ ଦୀପକ କୁମାର ଫିଲ୍ମର ସିନେମାଟୋଗ୍ରାଫ କରିଛନ୍ତି ।
ସଞ୍ଜୟ ନାମକ ଜଣେ ମଧ୍ୟବିତ୍ତ ବେରୋଜଗାରୀ ଯୁବକଙ୍କର ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି । ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ସରକାରୀ ଚାକିରି ପାଇବା । ସଞ୍ଜୟର ଜୀବନ ଅଧିକ ଜଟିଳ ହେଉଛି, ଯେତେବେଳେ ତାଙ୍କ ବାପା ଅସୁସ୍ଥ ହେଉଛନ୍ତି । ଏହାପରେ କୌଣସି ଚାକିରି ଓ ପାଖରେ ଅର୍ଥ ନ ଥିବା ସଞ୍ଜୟ ନିଜ ସ୍ୱପ୍ନ ଏବଂ ଜୀବନକୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳୁଛି ।

Comments are closed.