ମୁମ୍ବାଇ : ନଭେମ୍ବର ୦୨: ବେଆଇ ଆର୍ଥିକ କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି । ଅର୍ଥ କାରବାର ନେଇ ଇଡି ଅଧିକାରୀ ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି ତାଙ୍କୁ ପଚରାଉରା କରିଥିଲା । କୌଣସି ସନୋଷଜନକ ଉତ୍ତର ନମିଳିବାରୁ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା ।
ରିପୋର୍ଟ ଅନୁସାରେ, ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ସହିତ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ । ୧୦୦ କୋଟି ଟଙ୍କାର ଏକ୍ସଟରସନ୍(ଅନ୍ୟାୟ ଟଙ୍କା ଆଦାୟ) ମାମଲାରେ ଇଡି ତାଙ୍କ ବିରୋଧରେ ତଦନ୍ତ କରି ଗତକାଲି ଗୃହବନ୍ଦୀ କରିଥିଲା । ବାରମ୍ବାର ସମନ ଏଡ଼ାଇବା ପରେ ଗତକାଲି ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ଗୃହବନ୍ଦୀ କରିବା ପୂର୍ବରୁ ଇଡି ତାଙ୍କର ବୟାନ ରେକର୍ଡ କରିଥିଲା ।
ସୂଚନ ଯୋଗ୍ୟଯେ , ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ । ବହିଷ୍କୃତ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ନେଇ ଅଭିଯୋଗ ହୋଇଛି । ଦେଶମୁଖଙ୍କ ପାଇଁ ସେ ୪.୭ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ ରହିଛି ।

Comments are closed.