ଭୁବନେଶ୍ୱର : ଆଉ ସ୍କୁଲରେ ରହିବେନି ବ୍ୟାକ୍ ବେଞ୍ଚର୍ । ଆଉ କିଏ ପଛ କିମ୍ବା ଆଗ ବେଞ୍ଚରେ ବସିବେ ନାହିଁ । ଏବେ ଶ୍ରେଣୀଗୃହରେ ଗୋଟିଏ ଧାଡିରେ ବସିବେ ପିଲା । ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଥମ ବେଞ୍ଚ । ଶ୍ରେଣୀଗୃହରେ ପଛରେ ପଡିବ ନାହିଁ ବେଞ୍ଚ୍ ନା କେହି ବୋଲାଇବେ ବ୍ୟାକ୍ ବେଞ୍ଚର୍ । ଏବେ ସମସ୍ତ ବିଦ୍ୟାଳୟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହି ପରିବର୍ତ୍ତନ ପ୍ରଥମେ ଆପଣେଇଛି ତାମିଲନାଡୁ । ତାମିଲନାଡୁ ସରକାର ଏବେ ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା ତାମିଲ ଅକ୍ଷର Pa କିମ୍ବା ଇଂରାଜୀ ଅକ୍ଷର U ପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବିଦ୍ୟାଳୟରେ U ସେପ୍ ରେ ବସିବେ ଛାତ୍ରଛାତ୍ରୀ । ଏହା ପାଠପଢ଼ା ଉପରେ ମଧ୍ୟ ଭଲ ପ୍ରଭାବ ପକାଇବ । ଏବଂ ଏହି ମଡେଲ୍କୁ ଆମ ରାଜ୍ୟରେ ପ୍ରଥମେ ବ୍ରହ୍ମପୁର ଆପଣେଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ସରକାରୀ ବିଦ୍ୟାଳୟର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ । ବ୍ୟାକ୍ ବେଞ୍ଚରେ ବସି ପାଠ ପଢ଼ିବେନି ପିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ବ୍ରହ୍ମପୁର ଉପକଣ୍ଠ ଭାବିନିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବସିବା ନିମନ୍ତେ କରାଯାଇଛି ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟା ବା U ସେପ୍ । ଏହି ପ୍ରକ୍ରିୟା ଗତ ଏକ ସପ୍ତାହ ଧରି ବିଦ୍ୟାଳୟରେ ଆରମ୍ଭ କରାଯାଇଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ସମୟରେ ଶ୍ରେଣୀଗୃହରେ ଆଗପଛ ହୋଇ ବସିବାକୁ ନେଇ ଯେଉଁ ତାରତମ୍ୟ ରହିଥିଲା ତାହା ଦୂରେଇ ଯାଇଛି ।
ଆପଣଙ୍କର ସେ ସ୍କୁଲ ଦିନଗୁଡ଼ିକ କଥା ତ ନିଶ୍ଚୟ ମନେଥିବ । ଯେତେବେଳେ ଶିକ୍ଷକ ସ୍କୁଲରେ ପାଠ ପଢ଼ାଉଥିଲେ ଏବଂ ପଛ ବେଞ୍ଚରେ ବସିଥିବା କିଛି ଛାତ୍ରଛାତ୍ରୀ ସେମାନଙ୍କ ଅଲଗା ଦୁନିଆରେ ଥାଆନ୍ତି । ସେ ଗପ ମାରିବା ହେଉ କି କ୍ଲାସ ମଝିରେ ଟିଫିନ ଖାଇବା ହେଉ । ପାଠପଢା ଉପରେ ତାଙ୍କର ଆଦୌ ଧ୍ୟାନ ନଥାଏ । କାରଣ ପଛ ବେଞ୍ଚ ଉପରେ କୌଣସି ଶିକ୍ଷକଙ୍କର ବି ଅଧିକ ନଜର ନଥାଏ । ଯାହାର ଫାଇଦା ନେଇ ବ୍ୟାକ୍ ବେଞ୍ଚରେ ବସିଥିବା ଛାତ୍ରଛାତ୍ରୀମାନେ ଏଭଳି କାମ କରନ୍ତି । ବ୍ୟାକ ବେଞ୍ଚର୍ସ ହଟିବା ପରେ ଛାତ୍ର ଛାତ୍ରୀମାନେ ଶୃଙ୍ଖଳିତ ହୋଇ ପାଠପଢା ପ୍ରତି ଅଧିକ ଧ୍ୟାନ ଦେବେ। ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରେଣୀ ଗୃହର ପ୍ରତିଟି ଛାତ୍ରଛାତ୍ରୀ କିଭଳି ପାଠପଢ଼ୁଛନ୍ତି ସେନେଇ ଅନୁଧ୍ୟାନ ମଧ୍ୟ କରିପାରିବେ । ବିଦ୍ୟାଳୟରେ ଗ୍ରହଣ କରାଯାଇଥିବା ଏହି ନୂତନ ବସିବାର ପ୍ରକ୍ରିୟାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

Comments are closed.