ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ

ଡେରାଡୁନ: ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖଣ୍ଡ ସରକାର ଗୋଟିଏ କଡ଼ା ବିଲ୍‌ ପାରିତ କରିଛନ୍ତି । ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଧର୍ମାନ୍ତରଣକୁ ଏଣିକି ଗୋଟିଏ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । ସେହିପରି ଦୋଷୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ । ଅଭିଯୋଗ ନ ହୋଇଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ନିଜ ଆଡ଼ୁ ଘଟଣାର ତଦନ୍ତ କରିପାରିବେ ବୋଲି ବିଲରେ ବ୍ୟବସ୍ଥା କରାଯାଇଛି ।

ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ(ସଂଶୋଧନ) ଆଇନ ୨୦୨୨ରେ ଗିରଫଦାରୀ ଓ ଜେଲ ବ୍ୟତୀତ ବେଆଇନ ଧର୍ମାନ୍ତରଣ କରୁଥିବା ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରିବ । ଏଥିସହ ଦୋଷୀକୁ ଧର୍ମାନ୍ତରଣ ଶିକାର ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ଦେବାର ପ୍ରାବଧାନ ବିଲରେ ରହିଛି । ପୂର୍ବରୁ ରାଜ୍ୟରେ ପ୍ରଚଳିତ ଧର୍ମାନ୍ତରଣ ବିରୋଧ ଆଇନରେ ଦୋଷୀଙ୍କୁ ଗୋଟିଏ ବର୍ଷରୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡର ବ୍ୟବସ୍ଥା ରହିଥିଲା । ଏବେ ପ୍ରଚଳିତ ହେବାକୁ ଥିବା ଆଇନରେ କୁହାଯାଇଛି ଯେ କେହି ବି ଅନ୍ୟ ଧର୍ମର ଲୋକଙ୍କୁ ଧର୍ମାନ୍ତରଣ ପାଇଁ ସିଧାସଳଖ କିମ୍ବା ପରୋକ୍ଷରେ ପ୍ରବର୍ତ୍ତାଇ ପାରିବେ ନାହିଁ । ଧର୍ମାନ୍ତରଣ ପାଇଁ କାହାକୁ ବି ଭୁଲ ତଥ୍ୟ, ଟଙ୍କା, ବଳ ଓ ଅନ୍ୟ କୌଣସି ପ୍ରକାରର ପ୍ରଲୋଭନ ଦେଖାଇପାରିବେ ନାହିଁଛ ଯଦି କେହି ଏପରି କାମ କରନ୍ତି, ତା’ହେଲେ ସେମାନଙ୍କୁ ଜେଲଦଣ୍ଡ ସହ ଜୋରିମାନା ଭରିବାକୁ ହେବ ବୋଲି ଏଥିରେ କୁହାଯାଇଛି ।

Govt

Comments are closed.