ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । ଆନ୍ଦୋଳନ ପ୍ରତ୍ୟାହୃତ କଲେ ଓଏଏସ ସଂଘ । ଏନେଇ ସୂଚନା ଦେଇଛନ୍ତି ଓଏଏସ ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସି ଆନ୍ଦୋଳନକୁ ଜୋରଦାର କରିଥିଲା ସଂଘ । ତେବେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି ।

ଅନ୍ୟପଟେ,ଗୁରୁବାର ରାତିରେ ଜଗନ୍ନାଥ ପ୍ରଧାନଙ୍କ ଆତ୍ମସମର୍ପଣ ପରେ ଗିରଫ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ୧୪ ଦିନ ପାଇଁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପ୍ରାଥମିକ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି ପୋଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଛି । ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିଶନରେଟ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା ।

ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍‌ପିଟାଲ ନେଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ସେପଟେ ଜଗନ୍ନାଥ ପ୍ରଧାନ ଜେଲ୍ ଯିବା ପରେ ରାଜରାସ୍ତାରେ ସମର୍ଥକଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ସମର୍ଥକମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ତେବେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ବିଜେପିର କର୍ମକର୍ତ୍ତା ହୋଇଥିବାବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି ଦଳ ।

Govt

Comments are closed.