ବାରିପଦା ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

0

ମୟୁରଭଞ୍ଜ : ବାରିପଦା ଟାଉନ ପିଆରଏମ ସରକାରୀ ଡାକ୍ତରଖାନାରୁ ନବଜାତକ ଚୋରି ଅଭିଯୋଗ । ଆଜି ସକାଳ ୬ ଟା ବେଳେ ପିଲାଟିକୁ ଜଣେ ଅଜଣା ମହିଳା ନେଇ ଫେରାର ହୋଇଯାଇଥିବା ପିଲାର ବାପା ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବାରିପଦା ଟାଉନ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଖୋଜାଖୋଜି କରୁଛି। ପ୍ରସୂତି ମହିଳା ଜଣକ ହେଲେ ବାରିପଦା ସଦରଥାନା ଅଧୀନ ରାଣୀଭୋଳ ଗ୍ରାମର ଫୁଲମଣି ସୋରେନ(୨୦)।

ସୂଚନାନୁସାରେ,ଶୁକ୍ରବାର ଅପରାହ୍ନରେ ଫୁଲମଣିଙ୍କୁ ପ୍ରସବ ଜନିତ ବେଦନା ହେବାରୁ ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। ବାଟରେ ଆସୁଥିବା ସମୟରେ ଆମ୍ବୁଲାନ୍ସରେ ଫୁଲମଣି ପିଲା ଜନ୍ମ କରିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ୫ମହଲାର ପ୍ରସୂତି ଓ୍ବାର୍ଡ ୟୁନିଟ୍‌-୧ରେ ଚିକିତ୍ସାଧୀନ ଥିବା ସମୟରେ ପିଲାଚୋର ମହିଳା ଜଣକ ପାଖାପାଖି ରହୁଥିଲେ। ନବଜାତକ ଶିଶୁକୁ ସାମାନ୍ୟ କାଶଛିଙ୍କ ହେଉଥିବାରୁ ଫୁଲମଣିଙ୍କ ସହ କଥାବାର୍ତ୍ତା ହୋଇ ଡାକ୍ତର ଦେଖାଇବାକୁ କହିଥିଲେ। ଆଜି ସକାଳେ ସେହି ମହିଳା ଜଣକ ନବଜାତକର ବାପାଙ୍କୁ ପିଲା ଜନ୍ମ ହେବା ପରେ ସରକାରୀ ଟଙ୍କା ପାଇଛ କି ନାହିଁ ପଚାରି ପିଲାଟିକୁ ନେଇ ବାହାରକୁ ଆସ ବୋଲି କହିଥିଲା। ନବଜାତକର ବାପା ପିଲାଟିକୁ ନେଇ ବାହାରକୁ ଆସିବା ପରେ ମହିଳା ଜଣଙ୍କ ବିଶ୍ୱାସ ଜନ୍ମାଇ ତାଙ୍କ ଫଟୋ ଉଠାଇଥିଲା। ପିଲାକୁ ମୋତେ ଦେଇ ଆଧାର କାର୍ଡର ଜେରକ୍ସ ଓ ଫଟୋ ଆଣିବାକୁ କହିଥିଲା। ପିଲାର ବାପା ଆଧାର କାର୍ଡ ଆଣିବାକୁ ତାଙ୍କ ସ୍ତ୍ରୀ ଥିବା ବେଡ୍ ପାଖକୁ ଯିବା ସମୟରେ ମହିଳା ଜଣକ ପିଲାକୁ ନେଇ ଫେରାର ହୋଇଯାଇଥିଲା। ଏହାପରେ ନବଜାତକର ପରିବାର ଲୋକେ ଏନେଇ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.