ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’ ଭାରତୀୟ ବକ୍ସଅଫିସରେ ଧମାଲ କରୁଛି । ଏହାସହ ଫିଲ୍ମଟି ରିଲିଜ୍ ପୂର୍ବରୁ ଏବଂ ପରେ ରେକର୍ଡ କରିବାରେ ଲାଗିଛି । ଫିଲ୍ମରେ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ କେମେଷ୍ଟ୍ରୀକୁ ଦର୍ଶକମାନେ ଖୁବ ପ୍ରଶଂସା କରୁଛନ୍ତି । ସେହିପରି ଅଜୟ ଦେବଗନଙ୍କ ଦମଦାର ଚରିତ୍ର ଏବଂ ଆଲିୟା ଭଟ୍ଟଙ୍କ ସ୍କ୍ରିନ୍ ପ୍ରେଜେନ୍ସ ମଧ୍ୟ ହିନ୍ଦୀ ସିନେପ୍ରେମୀଙ୍କ ମନକୁ ଛୁଇଁଛି । ହେଲେ ଫିଲ୍ମ ଏବଂ ଆଲିୟାଙ୍କୁ ନେଇ ଏକ ଖବର ଆସିଛି ।

ସୂତ୍ରରୁ ଜଣାପଡ଼ିଛି ଯେ, ବଲିଉଡ୍ ଅଭିନେତ୍ରୀ ଆଲିୟା ଫିଲ୍ମରେ ମିଳିଥିବା ସ୍କ୍ରିନ୍ ସ୍ପେସ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ଯେ ,ଏହାକୁ ନେଇ ଆଲିୟା ନିର୍ଦ୍ଦେଶକ ରାଜମୌଲୀଙ୍କ ଉପରେ ରାଗିଛନ୍ତି । କାରଣ ଆଲିୟାଙ୍କ ଅଜ୍ଞାତରେ ତାଙ୍କ ବହୁତ ସିନ୍କୁ ଫିଲ୍ମରୁ ବାଦ୍ ଦିଆଯାଇଛି । ଯାହାଦ୍ୱାରା ସୁପରହିଟ୍ ‘ଆର୍ଆର୍ଆର୍’ ଫିଲ୍ମରେ ଆଲିୟାଙ୍କ ରୋଲ୍ ସଂକ୍ଷିପ୍ତ ହୋଇଯାଇଛି । ଛୋଟ ରୋଲ୍କୁ ନେଇ ଆଲିୟା ଖୁସି ନାହାନ୍ତି ।

ତେଣୁ ସେ ‘ଆର୍ଆର୍ଆର୍’ ସହ ଜଡ଼ିତ ସମସ୍ତ ପୋଷ୍ଟ, ଫଟୋ ଏବଂ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇଦେଇଛନ୍ତି । କେବଳ ସେତିକି ନୁହେଁ ଫିଲ୍ମର ପ୍ରଥମ ପର୍ଯ୍ୟାୟପ୍ରମୋସନର ସମସ୍ତ ଇଭେଣ୍ଟରେ ଆଲିୟା ସାମିଲ ହେଉଥିଲେ । କିନ୍ତୁ ଶେଷ ଆଡ଼କୁ କୌଣସି ପ୍ରମୋସନରେ ସେ ଆଉ ନଜର ଆସିନଥିଲେ । ତେବେ ଏନେଇ ଆଲିୟା ଅଫିସିଆଲି କିଛି ଘୋଷଣା କରିନାହାନ୍ତି । ଫିଲ୍ମରେ ସେ ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ହେଲେ ଏହି ଚରିତ୍ର ଦର୍ଶକଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ସେପଟେ ଭଲ ଅଭିନୟର ସମସ୍ତ କ୍ରେଡିଟ୍ ରାମ ଚରଣ, ଜୁନିଅର ଏନଟିଆର ଏବଂ ଅଜୟ ଦେବଗନଙ୍କୁ ମିଳିଛି ।

Comments are closed.