୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ

ମଧ୍ୟପ୍ରଦେଶ : ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବୋରେଓ୍ଵଲରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁ । ପାଞ୍ଚଦିନର ଜୀବନ ସହ ସଂଘର୍ଷ ତଥା ୮୦ ଘଣ୍ଟାର ରେସକ୍ୟୁ ପରେସନ ପରେ ମଧ୍ୟ ଜୀବିତ ଉଦ୍ଧାର ହୋଇପାରି ନଥିଲେ ତନ୍ମୟ I ବୋଲେଓ୍ଵଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌ । ଏହି ଖବର ପାଇବା ପରେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ ଦେଇଛି।

ସୂଚନାନୁସାରେ,ଗତ ମଙ୍ଗଳବାର ଦିନ ସନ୍ଧ୍ୟା ୫ଟାରେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭୀ ଗାଁରେ ଖୋଳା ଯାଇଥିବା ଏକ ପରିତ୍ୟକ୍ତ ବରୱେଲରେ ଅସାବଧାନତା ବଶତଃ ଖସି ପଡିଥିଲା ୮ ବର୍ଷର ବାଳକ ତନ୍ମୟ। ପରିବାର ଲୋକ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ। ତେବେ ତନ୍ମୟ ବରୱେଲ ମଧ୍ୟରେ ଖସିପଡ଼ିବାର କେଇ ଘଣ୍ଟା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ।

ତାକୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନ ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଥିଲା। ଏହା ସହିତ ତାଙ୍କ ସ୍କୁଲ ସାଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାୟତ୍ରୀ ମନ୍ତ୍ର ଜପୁଥିଲେ ।

୪ ଦିନ ଧରି ଉଦ୍ଧାରକାରୀ ଟିମ ଅକ୍ଳାନ୍ତ ପରିଶ୍ରମ କରି ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଜେସିବି ସହାୟତାରେ ଚାଲିଥିଲା ଖନନ କାର୍ଯ୍ୟ। କିନ୍ତୁ ଟାଣ ପଥର ଓ ପାଣି ବାହାରିବା ଉଦ୍ଧାରକାରୀ ଟିମ୍ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଥିଲା।

ସମୟ ଗଡ଼ିବା ସହ ତନ୍ମୟର ଜୀବନ ପ୍ରତି ଦେଖା ଦେଇଥିଲା ବିପଦ। ତଥାପି ପ୍ରଶାସନ ହାର ନ ମାରି ତନ୍ମୟକୁ ଉଦ୍ଧାର ପାଇଁ ୫୫ଫୁଟ ଗଭୀରର ଗାତ ଖୋଳିଥିଲା। ଏହାପରେ ୧୦ଫୁଟ ସୁଡଙ୍ଗ ଖୋଳାଯାଇ ତନ୍ମୟ ନିକଟରେ ଆଜି ଭୋର ସମୟରେ ପହଞ୍ଚିଥିଲା ଉଦ୍ଧାର କାରୀ ଟିମ୍। ଅତ୍ୟନ୍ତ ସତର୍କତାର ସହ ତନ୍ମୟକୁ ଉପରକୁ ଅଣାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି।

ଏପଟେ ବୈତୁଲର ଏଡିଏମ୍‌ ଶ୍ୟାମେନ୍ଦ୍ର ଜୟସ୍ୱାଲ କହିଛନ୍ତି କି ୪୫ ଫୁଟ ଖୋଳିବା ପରେ ମାଟି ଭିତରେ ଟାଣ ପଥର ସ୍ତର ପଡ଼ି ଯାଇଥିଲା । ତେଣୁ ଖୋଳିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଏହାପରେ ଏକ ସମାନ୍ତରାଳ ଗାତ ଖେଳିବାକୁ ସ୍ଥିର କରାଯାଇଥିଲା। ସେହିବାଟ ଦେଇ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରାଯାଇଥିଲା।

ହେଲେ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରକାର ଚ୍ୟାଲେଞ୍ଜ ରହିଥିଲା । ପ୍ରଥମେ ୨୫ ଫୁଟ ଯାଏ ଖୋଳା ଯିବା ପରେ ଭୂତଳ ଜଳ ଗାତ ଭିତରେ ପଶିଥିଲା । ଏହାକୁ ପମ୍ପ ଦ୍ୱାରା ବାହାର କରାଯାଇ ଖୋଳା କାମ ଚାଲିଥିଲା । ଯାହା ଉଦ୍ଧାର କାର୍ଯ୍ୟକୁ ବିଳମ୍ବ କରିଥିଲା । ବୋରେଓ୍ଵଲ ପାଖରେ ଖୋଳା ଯାଉଥିବା ଗାତ ମେସିନ ଦ୍ୱାରା ଖୋଳା ଯାଇଥିଲା । ତେବେ ପଥୁରିଆ ଜାଗା ହେତୁ ମେସିନର କମ୍ପନରେ ତନ୍ମୟ ତଳକୁ ତଳକୁ ଖସିବାକୁ ଲାଗିଥିଲା । ତେଣୁ ବାଧ୍ୟ ହୋଇ ମେସିନ୍‌ ଦ୍ୱାରା ଖୋଳା ନଯାଇ ଉଦ୍ଧାରକାରୀମାନେ ହାତରେ ଗାତ ଖୋଳିବା ଆରମ୍ଭ କରିଥିଲେ । ଖାଲି କ୍ୟାମେରା ଦ୍ୱାରା ତାର ଗତିବିଧି ଉପରେ ନଜର ରଖାଯାଇଥିଲା I

ତନ୍ମୟର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତା’ ମା’ ଜ୍ୟୋତି ଓ ବାପା ସୁନୀଲ ସାହୁ ପାଗଳ ପ୍ରାୟ ହୋଇଯାଇଛନ୍ତି। ସେମାନେ କଅଁଳ ପୁଅକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ପୁଅକୁ ଫେରାଇ ଆଣିବାକୁ ଆକୁଳନ ନିବେଦନ କରିବାର ଦୃଶ୍ୟ ବେଶ ହୃଦୟବିଦାରକ।

Comments are closed.