ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ଏହି ପବିତ୍ର ପର୍ବ ପଡ଼େ । ଓଡ଼ିଶାର ଏହା ଏକ ବଡ଼ ତଥା ମହତ୍ୱପୂର୍ଣ୍ଣ ପର୍ବ କହିଲେ ଅତୁ୍ୟକ୍ତି ହେବ ନାହିଁ । ଆୟୋଜନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ରଥ ଯାତ୍ରା ବେଶ୍ ଗୁରୁତ୍ୱ ବହନ କରେ । ଏହି ଦିନରେ ଶ୍ରୀମନ୍ଦିରୁ ସାମ୍ୟ ମୈତ୍ରୀର ପ୍ରତୀକ ଚତୁର୍ଦ୍ଧମୂରତି ରତ୍ନବେଦୀରୁ ଓହ୍ଲାଇ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ନୀତି କାହିଁରୁ କେତେ ବର୍ଷର ପୁରୁଣା । ସେହିପରି ଭାବେ ରଥ ନିର୍ମାଣର ପରମ୍ପରା ବହୁ ବର୍ଷର ପୁରୁଣା । ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୂର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା । ତେବେ ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି ।

ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ । ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ । କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ।

ଯଥା – * ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ ।
* ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ ।
* ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି । ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢ଼ୀ ବନ୍ଧାଇଥାନ୍ତି ।
* ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡ଼େରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ ।

* ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡ଼େରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ ।
ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା । ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା । ପୁରୀଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲଠାରୁ ଏହି କାଠଗୁଡ଼ିକ ଶଗଡ଼ରେ ବୁହା ଯାଉଥିଲା । ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ । ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି । ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧, ୧୩୯ଟି କାଠ ଆସିଥାଏ ।

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି । ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି । ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ । ଏତଦ୍ବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ ।
ଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ

ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ, ପରଦିନଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ । ଶ୍ରୀମନ୍ଦିରର ସ୍ୱ‰ଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ । ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାଶ୍ୱର୍ ଦେବତା ଖଞ୍ଜା ଯାଇଥାଏ ।

ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ବା କପଡ଼ା ପ୍ରସ୍ତୁତ କରାଯାଇଥାଏ । ସେହି କନାକୁ ତିନି ରଥରେ ସୁସଜ୍ଜିତ କରାଯାଏ । ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନୀଳ କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ । ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି ।

ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥଗୁଡିକୁ ଭାଙ୍ଗି ଦିଆଯାଏ । କେବଳ ସାରଥୀ,ଘୋଡ଼ା, ପାଶ୍ୱର୍ଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ । ୧୯୯୯ ମସିହାଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

Comments are closed.