ଯେତେବେଳେ ଚୋରି କିମ୍ବା ଅନ୍ୟ କିଛି ଅପରାଧ ଘଟିଥାଏ ସେତେବେଳେ ଅପରାଧୀକୁ ଧରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥାଏ । ପୋଲିସକୁ ଏଥିପାଇଁ ବିଭିନ୍ନ ସୁରାକ ସଂଗ୍ରହ କରିବାକୁ ପଡିଥାଏ । ଯାଞ୍ଚ କଲାବେଳେ ପୋଲିସ ବହୁ ସମୟରେ ଏପରି ସବୁ ଜିନିଷ ସଂଗ୍ରହ କରିଥାଏ ଯାହା ଦେଖିବାକୁ ତ ବହୁତ କ୍ଷୁଦ୍ର ହୋଇଥାଏ କିନ୍ତୁ ସେଥିରୁ ପୋଲିସକୁ ଅପରାଧୀକୁ ଧରିବାରେ ବଡ ସୂଚନା ମିଳିଥାଏ । ଏହି କ୍ରମରେ ଚୀନ୍ ପୋଲିସ ଯେଉଁ ସୁରାକ ଜରିଆରେ ଅପରାଧୀକୁ ଧରିପାରିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ହେଉଛି ଏକ ମଶା ଯାହା ଅପରାଧୀ ବିଷୟରେ ପୋଲିସକୁ ସୂଚନା ଦେଇଛି । ଚୀନ୍ ନ୍ୟୁଜ୍ େଓ୍ବସାଇଟ୍ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଏଠିକାର ଫୁଜିୟାନ ପ୍ରାନ୍ତ ଫୁଜୋ ସହରରେ ଏହିପରି ଏକ ବିଚିତ୍ର ଘଟଣା ନଜରକୁ ଆସିଛି । ଏଠାରେ ପୋଲିସ ଅପରାଧୀକୁ ଏକ ମଶା ମାଧ୍ୟମରେ ଧରିବାକୁ ସମର୍ଥ ହୋଇଛି । ଏହି ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଥିଲା । ଏହି ଚୋରି ଘଟଣାର ଯାଞ୍ଚ କରିବା ପାଇଁ ପୋଲିସ ପହଞ୍ଚିଥିଲା । ଘରଟି ବହୁ ସମୟ ଧରି ବନ୍ଦ ଥିବାରୁ ପୋଲିସ ଅନୁମାନ ଲଗାଇଲା ଯେ ଚୋର ବାଲକୋନି ଦେଇ ଘରକୁ ପଶିଛି ।

ଘର ଭିତରକୁ ଯାଇ କିଚେନରେ ସିଝା ଅଣ୍ଡା, ବଳକା ନୁଡୁଲସ୍, ବେଡରୁମ୍ର ବିଛଣାରେ କମ୍ବଳ ଓ ତକିଆ ଦେଖି ପୋଲିସ ଜାଣିପାରିଲା ଯେ, ଚୋର ଏଠି କିଛି ସମୟ ବିତାଇଛି ଓ ଏହାପରେ ଜିନିଷ ପତ୍ର ନେଇ ପଳାଇଛି । ଯାଞ୍ଚ ସମୟରେ ପୋଲିସକୁ କାନ୍ଥରେ ଏକ ମଲା ମଶା ନଜର ଆସିଲା । ମଶା ଦେହରୁ ରକ୍ତର ବୁନ୍ଦା କାନ୍ଥରେ ଲାଗିଥିବାର ପୋଲିସ ଦେଖିଲା ।

ପୋଲିସ ସେହି ରକ୍ତର ଡିଏନଏ ଟେଷ୍ଟ କରିଥିଲା । ସେହି ଡିିଏନଏ ଚାୟ ନାମକ ଜଣେ ଅପରାଧୀର ଡିଏନଏ ସହ ମ୍ୟାଚ୍ କରିଥିଲା ଯାହା ନାଁରେ ଅନେକ କ୍ରିମିନାଲ୍ ରେକର୍ଡ ଥିଲା । ୧୯ ଦିନ ପରେ ତାକୁ ପଚରାଉଚରା ପାଇଁ ଥାନାକୁ ଅଣାଗଲା ଓ ସେ ଶେଷରେ ଚୋରି କରିଥିବାର ସ୍ୱୀକାର କରିଥିଲା ।

Comments are closed.