ସାମୁଦ୍ରିକ ଝଡ଼’ମନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା’ମନ୍ଥା’ ଏବେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି।’ମନ୍ଥା’ ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହା କାକିନାଡ଼ାଠାରୁ ୨୪୦ କିମି ଦୂରରେ ରହିଛି । ଆଜି ସକାଳେ ଭୀଷଣ ବାତ୍ୟାର ପରିଣତ ହୋଇ ଘଣ୍ଟାପ୍ରତି ୧୨ କି.ମି.ବେଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି ମନ୍ଥା । ଆଜି ସନ୍ଧ୍ୟା ୭ ରୁ ରାତି ୧୧ ଟା ମଧ୍ୟରେ କାକିନାଡାରେ ଲ୍ୟାଣ୍ଡଫଲ କରି ଓଡିଶା ଦେଇ ଛତିଶଗଡ଼ ଅତିକ୍ରମ କରିବାର ସମ୍ଭାବନା ରହିଛି । ‘ମନ୍ଥା’ ପ୍ରଭାବରେ ପବନ ବେଗ ୯୦ -୧୦୦ କିଲୋମିଟରରୁ ନେଇ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିବ । ଏଥିପାଇଁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ଆଜି ସକାଳ ଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଆଜି ପାଇଁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।
ସେହିଭଳି ଆସନ୍ତାକାଲି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କହିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶାର ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଅନ୍ୟ ସବୁ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ରହିଛି ।
