ସ୍ବାସ୍ଥ୍ୟ ହିଁ ସମ୍ପଦ । ଜୀବନରେ ଯାହାର ସ୍ବାସ୍ଥ୍ୟ ନାହିଁ ତାର କିଛି ନାହିଁ । ତେଣୁ ଜୀବନରେ ଫିଟନେସ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ସମସ୍ତଙ୍କର ରହିଛି । ତେବେ ଏଥିପାଇଁ ପ୍ରଥମେ ଫିଟନେସ କଣ ତାହା ବୁଝିବା ଜରୁରୀ ।
ଆଜିକାଲି ସମସ୍ତେ ଫିଟନେସ ପଛରେ ଗୋଡାଉଥିବାର ଦେଖିବାକୁ ମିଳୁଛି । ଯୁବକଙ୍କ ଠାରୁ ଆରମ୍ଭକରି ବୟସ୍କ ସମସ୍ତେ ଫିଟ ରହିବା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଉଛନ୍ତି । କିଏ ଜିମ୍ ଯାଉଛି ତ କିଏ ଘରେ ବ୍ୟାୟାମ କରୁଛି । ତେବେ ଫିଟ୍ ରହିବା ଆଗରୁ ଫିଟନେସ କଣ ବୁଝିବାକୁ ହେବ, ନଚେତ ଫିଟନେସ ପାଇଁ ଅନେକ ମୂଲ୍ୟବାନ ଜୀବନ ଯାଉଥିବାର ମଧ୍ୟ ଉଦାହରଣ ସମାଜରେ ରହିଛି । ତେଣୁ ଫିଟ ରହିବା ଆଗରୁ ଏହି ପ୍ରକ୍ରିୟାକୁ ବୁଝିବାର ଆବଶ୍ୟକତା ରହିଛି । ଫିଟନେସର ଅର୍ଥ ଜଣେ ବ୍ୟକ୍ତି ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ସହିତ ନିଜ ଦୈନନ୍ଦିନ କାର୍ଯ୍ୟ ସଠିକ ଢଙ୍ଗରେ କରିପାରୁଥିବା । ସେହିଭଳି ନିରୋଗୀର ଅନ୍ୟନାମ ମଧ୍ୟ ଫିଟନେସ ହୋଇଥାଏ । ସବୁବେଳେ ସମସ୍ତ କାର୍ଯ୍ୟ କରିବାକୁ ଆଗ୍ରହ ଦେଖାଯିବା ଫିଟ୍ ମଣିଷର ସଙ୍କେତ ହୋଇଥାଏ । ତେବେ ଫିଟନେସକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା । ଶାରିରୀକ କହିଲେ ଜଣେ ବ୍ୟକ୍ତି ନିଜର ସମସ୍ତ ଦୈନନ୍ଦିନ କାର୍ଯ୍ୟ କୌଣସି ବାଧା ବିଘ୍ନରେ କରିବାକୁ ବୁଝାଇଥାଏ । ସେହିପରି ମାନସିକ ସୁସ୍ଥତା କହିଲେ ଜଣେ ମଣିଷ ନିଜ କାର୍ଯ୍ୟଦକ୍ଷତା ସମ୍ପର୍କରେ ନିଜେ ଜାଣିପାରିବା ବା ବୁଝିବାକୁ ବୁଝାଇଥାଏ । ଏହାସହ ନିଜର ସମସ୍ତ ଚିନ୍ତାକୁ ପରିଚାଳନା କରି କାର୍ଯ୍ୟ କରିବାକୁ ମାନସିକ ସୁସ୍ଥତା ବୋଲି ବିବେଚନା କରାଯାଇଥାଏ । ସେହିଭଳି ସାମାଜିକ ସୁସ୍ଥତା କହିଲେ ନିଜର ଶରୀର ଓ ମାନସିକ ସ୍ଥିତିକୁ ସଠିକ୍ ଢଙ୍ଗରେ ପରିଚାଳନା କରି ସମାଜରେ ଥିବା ଲୋକଙ୍କ ସହିତ ଏକ ସୁସ୍ଥ ସମ୍ପର୍କ ସ୍ଥାପନା କରିବାକୁ ସାମାଜିକ ସୁସ୍ଥତାର ଆଖ୍ୟା ଦିଆଯାଇଥାଏ । ତେବେ ତିନୋଟିଯାକ ସମ୍ପର୍କ ଆମ ପାଇଁ ଆବଶ୍ୟକ ହୋଇଥିବାବେଳେ ବେଶି ଜରୁରୀ ହୋଇଥାଏ ଶାରିରୀକ ତଥା ମାନସିକ ସ୍ବାସ୍ଥ୍ୟ ।

ଶାରିରୀକ ସ୍ବାସ୍ଥ୍ୟ
ଶାରିରୀକ ସ୍ବାସ୍ଥ୍ୟ ବା ଫିଟନେସର କିଛିଟା କମ୍ପୋନେଣ୍ଟ ରହିଛି ଯାହାକୁ ବୁଝିବା ଦ୍ବାରା ସୁସ୍ଥ ରହିବା ଆମ ପାଇଁ ସହଜ ହୋଇଯାଇଥାଏ । ଏହାକୁ ବୁଝି କୌଣସି ଏକ୍ସପର୍ଟ କିମ୍ବା ଡାକ୍ତରଙ୍କ ପରାମର୍ଶରେ ପ୍ରତିଦିନ ବ୍ୟାୟାମ ଓ ଖାଦ୍ୟଶୈଳୀ ଅନୁକରଣ କରିବା ଦ୍ବାରା ଆମେ ଫିଟ୍ ରହିପାରିବା ।
ହୃଦ୍ରୋଗ ସହନଶୀଳତା
ଏହା ଅଧିନରେ ଆମ ହୃତପିଣ୍ଡ ଏବଂ ଫୁସଫୁସର କାର୍ଯ୍ୟକ୍ଷମତା ଆସିଥାଏ । ଏହି ଦୁଇଟି ଅଙ୍ଗ ଆମ ଶରୀରରକୁ ଅମ୍ଲଜାନ ଯୋଗାଇଥାଏ । ତେଣୁ ଯଦି ଏହି ଦୁଇଟି ଅଙ୍ଗରେ କୌଣସି ସମସ୍ୟା ଥାଏ ତେବେ ବ୍ୟାୟାମ କରିବା ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ।
ଶାରିରୀକ ଶକ୍ତି
ଫିଟନେସର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଲା ଶାରିରୀକ ଶକ୍ତି । ଏହା ଆମର ମସଲ ଷ୍ଟ୍ରେନ୍ଥକୁ ବଢାଇଥାଏ । ତେଣୁ ଶାରିରୀକ ଶକ୍ତି ବଢାଇବାକୁ ବିଭିନ୍ନ ପ୍ରକାର ବ୍ୟୟାମ ରହିଛି, ଯାହାକୁ କରି ଆମର ଶାରିରୀକ ଶକ୍ତି ବଢିବ । ତେବେ ଏହି ସମସ୍ତ ବ୍ୟୟାମ କୌଣସି ଏକ୍ସପର୍ଟଙ୍କ ସହାୟତାରେ କରନ୍ତୁ ।
ନିୟନ୍ତ୍ରଣ
ଫିଟନେସର ଆଉ ଏକ ଅଂଶ ହେଲା ଶରୀରକୁ ନିୟନ୍ତ୍ରଣରେ ରଖିବା । ଏହାକୁ ବଢାଇବାକୁ ଯୋଗ, ପିଲାଟି ସହିତ ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ କରାଯାଇଥାଏ । ଏହାଦ୍ବାର ଶରୀରର ଫ୍ଲେକ୍ଜିବିଲିଟି ବଢିଥାଏ ।
