ଭୁବନେଶ୍ୱର : ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା’ମୋନ୍ଥା’। ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗତ ୩ ଘଣ୍ଟା ମଧ୍ୟରେ ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ଆସନ୍ତାକାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
୨୮ ତାରିଖ ସକାଳେ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୨୮ ତାରିଖ ସଂଧ୍ଯାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗ ପଟ୍ଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିମି ରହିବ । ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ବଢିପାରେବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ପ୍ରଭାବରେପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ୨ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର । ୨୭ ଏବଂ ୨୮ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେହିପରି ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଗୋପାଳପୁର ଏବଂ ସୋନପୁର ବେଳାଭୂମି ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
