ବ୍ରହ୍ମପୁର : ଆଇନଜୀବୀ ପୀତବାସ ହତ୍ୟା ମାମଲାର ସମ୍ପୂର୍ଣ୍ଣ ଖୁଲାସ କରିଛନ୍ତି ବ୍ରହ୍ମପୁର ଏସପି ଏମ.ଶ୍ରବଣା ବିବେକ। ହତ୍ୟାକାଣ୍ଡର ୧୭ ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ୧୨ ଜଣ ହତ୍ୟା ଷଡ଼ଯନ୍ତ୍ରକାରୀ । ଆଉ କେତେଜଣକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରହିଛି । ବିକ୍ରମ ପଣ୍ଡା ,ବିପିନ ସ୍ୱାଇଁ,ପିଣ୍ଟୁ ଦାସ ମୁଖ୍ୟ କାର୍ପଟଦାର ଥିଲେ । ପୀତବାସ ପଣ୍ଡାଙ୍କ ସହ ବିକ୍ରମ ପଣ୍ଡାଙ୍କର ଭଲ ବନ୍ଧୁତା ରହିଥିବାବେଳେ ସମୟକ୍ରମେ ଏହା ରାଜନୈତିକ ,ବୃତ୍ତିଗତ ଏବଂ ବ୍ୟବସାୟିକ ଶତ୍ରୁତାରେ ପରିଣତ ହୋଇଥିଲା । ବିଶେଷକରି ବ୍ରହ୍ମପୁର ବାର ଇଲେକ୍ସନ ସମୟରୁ ଉଭୟ ବନ୍ଧୁ ବୈରୀ ସାଜିଥିଲେ ।
ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦେଇ ବ୍ରହ୍ମପୁର ଏସ୍ପି କହିଛନ୍ତି ଗତ ଅକ୍ଟୋବର ୬ ତାରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ହତ୍ୟାକାଣ୍ଡକୁ ରୂପ ଦେବାପାଇଁ ବିକ୍ରମ ପଣ୍ଡାଙ୍କ ସହ ମିଶି ଅନ୍ୟମାନେ ୫୦ ଲକ୍ଷର ଡ଼ିଲ ଫାଇନାଲ କରିଥିଲେ । ପ୍ରଥମେ ହତ୍ୟାକାରୀଙ୍କୁ ୧୦ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ଏହି ଆଧାରରେ ବିହାରରୁ ଓଡ଼ିଶା ଆସିଥିଲେ ସାର୍ପ ସୁଟର ।
ପ୍ରଥମେ ପୀତବାସଙ୍କୁ ହତ୍ୟା କରିବା ପାଇଁ ୩ଥର ଯୋଜନା କରାଯାଇଥିଲା । ସେପ୍ଟେମ୍ବର ୧୦ରୁ ୧୪ ଭିତରେ ହତ୍ୟା ଯୋଜନା ଫେଲ୍ ମାରିଥିଲା । ପରେ ପୁଣି ପ୍ଲାନ ବି’ରେ ପୀତବାସଙ୍କୁ ହତ୍ୟା କରିବା ପାଇଁ ମାଷ୍ଟରପ୍ଲାନ୍ ବନାଯାଇଥିଲା । ହତ୍ୟା ପୂର୍ବରୁ କିଛି ଦିନ ପୀତବାସଙ୍କୁ ରେକି କରିଥିଲେ ହତ୍ୟାକାରି । ଗାଡ଼ିରେ ଲଗାତାର ପିଛା କରିବା ସହ ପୀତବାସଙ୍କ ଗତିବିଧି ଉପରେ ପୂରା ନଜର ରଖିଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର ହୋଇଥିଲା। ଯୋଗୀ ରାଉତ ଓ ଉମା ବିଷୋୟୀ ସହାୟତା କରିଥିଲେ। ସୁଟରଙ୍କୁ ଜାଣିଥିଲା ବିପୀନ ସ୍ବାଇଁ। ତା ସହ ଯୋଗୀ ରାଉତ ଓ ଉମା ବିଷୋୟୀ ସହାୟତା କରିଥିଲେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
