ଫତେହାବାଦ: ଉତ୍ତର ପ୍ରଦେଶର ଫତେହାବାଦଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଟୋଲ ଗେଟ କର୍ମଚାରୀ ଦୀପାବଳି ବୋନସରେ ଖୁସି ନଥିବାରୁ ସବୁ ଫାଟକ ଖୋଲି ଦେଇଥିଲେ। ଫଳରେ ସୋମବାର ହଜାର ହଜାର ଗାଡ଼ି ମାଗଣାରେ ଟୋଲ ଗେଟ ପାର କରିଥିଲେ ଓ କେନ୍ଦ୍ର ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଟୋଲ ଗେଟ କର୍ମଚାରୀଙ୍କ ଧାରଣା ଯୋଗୁଁ ଟୋଲ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା ଓ ଟ୍ରାଫିକ ସମସ୍ୟା ବଢ଼ିଥିଲା। ଏହାକୁ ଦେଖି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଶ୍ରୀ ସାଇନ ଓ ଡାଟାର କମ୍ପାନି ପକ୍ଷରୁ ଫତେହାବାଦ ଟୋଲ ପ୍ଲାଜା ପରିଚାଳନା କରାଯାଉଛି। ଏଠାରେ ୨୧ ଜଣ କର୍ମଚାରୀ ଥିବାବେଳେ ସେମାନଙ୍କୁ ଦୀପାବଳି ବୋନସରେ ମାତ୍ର ୧୧୦୦ ଟଙ୍କା ଲେଖାଏଁ ମିଳିଥିଲା। କର୍ମଚାରୀ ଅଧିକ ବୋନସ ଦାବି କରୁଥିଲେ। ତେବେ ଆଲୋଚନା ପରେ କମ୍ପାନି କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଥିଲା।
