ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ରିପୋର୍ଟ ଅନୁଯାୟୀ ପୀଡ଼ିତ ମୃତକଙ୍କ ନାଁ ହର୍ଷଳ ପର୍ମା। ତାଙ୍କ ଗୋଡ଼, ହାତ ଭାଙ୍ଗି ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ପୀଡ଼ିତ ପର୍ମା ଚୋରି କରିବାପାଇଁ ଉଦ୍ୟମ କରୁଛନ୍ତି ବୋଲି କିଛି ଲୋକ ମିଛ ପ୍ରଚାର କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଘେରିଯାଇ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଉକ୍ତ ଘଟଣାରେ ଗୋରେଗାଓଁ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ୪ ଜଣ ଗିରଫ ହୋଇଛନ୍ତି ବୋଲି ମୁମ୍ବାଇ ପୁଲିସ ସ୍ପଷ୍ଟ କରିଛି। ଗିରଫ ହୋଇଥିବା ୪ ବ୍ୟକ୍ତି ହେଉଛନ୍ତି ସଲମାନ ମହମ୍ମଦ ଖାନ, ଇସାମୁଲ୍ଲା ଖାନ୍, ଗୌତମ ଏବଂ ରାଜୀବ ଗୁପ୍ତା। ଆଇନକୁ ହାତକୁ ନେବା କେତେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଛି। ମୃତ ବ୍ୟକ୍ତି ଚୋରି ପାଇଁ ଉଦ୍ୟମ କରିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ଜଣାପଡ଼ିଛି।
