ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ନଥିବାବେଳେ ରାଜ୍ୟରେ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ବିଫଳ ହୋଇଛି। କଂଗ୍ରେସ ଏବଂ ଆରଜେଡି ଜାରି କରିଥିବା ପ୍ରାର୍ଥୀ ତାଲିକା ଅନୁଶୀଳନରୁ ଜଣାପଡ଼ିଛି ଯେ ୧୧ ଆସନାର ମହାମେଣ୍ଟ ବନାମ ମହାମେଣ୍ଟ ଲଢ଼େଇ ହେବ। ଏଥିରୁ ବିରୋଧୀ ମହାମେଣ୍ଟରେ ଥିବା ବିବାଦ ସ୍ପଷ୍ଟ ପ୍ରମାଣ ହୋଇଯାଇଛି। ଆରଜେଡି ଏବଂ କଂଗ୍ରେସ ୬ ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଥିବାବେଳେ ସିପିଆଇ ଏବଂ କଂଗ୍ରେସ ୪ ଲେଖାଏଁ ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ସେହିପରି ମୁକେଶ ଶାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଏବଂ ଆରଜେଡି ୨ ଆସନରେ ପରସ୍ପର ବିରୋଧରେ ଲଢ଼ିବେ। ଆରଜେଡି ସୋମବାର ୧୪୩ ପ୍ରାର୍ଥୀ ବିଶିଷ୍ଟ ଏକ ତାଲିକା ଜାରି କରିବାପରେ ଚିତ୍ର ସ୍ପଷ୍ଟ ହୋଇଗଲା। କଂଗ୍ରେସ ଯେଉଁ ୬ଟି ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲା ଆରଜେଡି ମଧ୍ୟ ସେହି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନ ଗୁଡ଼ିକ ହେଉଛି ବୈଶାଳୀ, ସିକନ୍ଦରା, କହଲଗାଓଁ, ସୁଲତାନଗଞ୍ଜ, ନରକଟିଆଗଞ୍ଜ ଏବଂ ୱରସଲିଗଞ୍ଜ । ଇତି ମଧ୍ୟରେ ବଚ୍ଛୱାଡ଼ା, ରାଜପକର, ବିହାର ସରିଫ ଏବଂ କରଗହରରେ ବାମ ଦଳ ଏବଂ କଂଗ୍ରେସ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ତେବେ ବିରୋଧୀ ମହାମେଣ୍ଟରେ ଏଯେଉଁ ରାଜନୈତିକ ଅନିଶ୍ଚିତତା ଜାରି ରହିଛି ତାହା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ ତାରିଖରେ ସ୍ପଷ୍ଟ ହୋଇଯିବ। ତେବେ ଅକ୍ଟୋବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ମହାମେଣ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ଆସନ ବୁଝାମଣାକୁ ନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି ଯେ ମେଣ୍ଟ ମଧ୍ୟରେ ଏହି ଆନ୍ତଃକନ୍ଦଳ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟକୁ ସୁବିଧା ଦେବ।
