ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସ ଶୁକ୍ରବାର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି। ତାଲିକାରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଛନ୍ତି। ଏହାବ୍ୟତୀତ ସିଦ୍ଦରମୈୟା, ରେବନ୍ତ ରେଡ୍ଡୀ, ସୁଖବିନ୍ଦର ସିଂହ ସୁଖୁ, ଡିକେ ଶିବକୁମାରଙ୍କ ପରି କଂଗ୍ରେସଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ପ୍ରଦେଶ ମୁଖ୍ୟ ବିହାରରେ ପ୍ରଚାର କରିବେ। ପୂର୍ଣ୍ଣିଆରୁ ନିର୍ଦଳୀୟ ସାଂସଦ ପପୁ ଯାଦବଙ୍କୁ ଏଥିରେ ସାମିଲ କରାଯାଇଛି। ତେଲିକାରେ ବରିଷ୍ଠ ନେତା କେସି ବେଣୁଗୋପାଳ, ଅଶୋକ ଗେହଲଟ, ଭୂପେଶ ବଘେଲ, ଦିଗ୍ବିଜୟ ସିଂହ, ସଚିନ ପାଇଲଟ, ଅଧୀର ରଞ୍ଜନ ଚୌଧୁରୀ, ପୱନ ଖେଡ଼ା, ଅଳକା ଲାମ୍ବା, ଇମ୍ରାନ ପ୍ରତାପଗଡ଼ି, କହ୍ନେୟା କୁମାର, ଅଖିଳେଶ ପ୍ରସାଦ ସିଂହ, ରଞ୍ଜିତା ରଞ୍ଜନ, ରାଜେଶ ରାମ, ଶକିଲ ଅହମ୍ମଦ ଖାନ, ମଦନ ମୋହନ ଝା ଓ କୃଷ୍ଣା ଅଲ୍ଲାବରୁ ଅଛନ୍ତି।
