ନୂଆଦିଲ୍ଲୀ: ୨୦୨୦ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ଏକ ଷଡ଼ଯନ୍ତ୍ର ମାମଲାରେ ଜଣେ ଅଭିଯୁକ୍ତ ଶରଜିଲ ଇମାମ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ) ଛାତ୍ର ଶରଜିଲ ଇମାମ ଏଥିପାଇଁ ଦିଲ୍ଲୀ କୋର୍ଟରେ ୨ ସପ୍ତାହର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ଇମାମଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦ୍ବାରା ୟୁଏପିଏ ( ବେଆଇନ କାର୍ଯ୍ୟ ନିବାରଣ ଆଇନ) ଅଧୀନରେ ମାମଲା ରୁଜୁ ହୋଇଥିଲା ଏବଂ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ପାଇଁ ସେ ତିହାର ଜେଲ୍ରେ ବନ୍ଦୀ ଅଛନ୍ତି। କରକରଡୁମା କୋର୍ଟର ଅତିରିକ୍ତ ସେସନ୍ସ ବିଚାରପତି ସମୀର ବାଜପେୟୀଙ୍କ ନିକଟରେ ଶରଜିଲ ଇମାମ ଜାମିନ ପାଇଁ ଆବେଦନ କରିଛନ୍ତି। ଶରଜିଲ ଇମାମ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ବାହାଦୁରଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦର୍ଶାଇଛନ୍ତି। ଇମାମ କହିଛନ୍ତି, ସେ ଜଣେ ରାଜନୈତିକ ବନ୍ଦୀ ଏବଂ ଛାତ୍ର ସାମାଜିକ କର୍ମୀ। ବିହାରର ବାହାଦୁରଗଞ୍ଜ ଆସନରୁ ସେ ନିର୍ବାଚନ ଲଢ଼ିବାକୁ ଚାହାନ୍ତି।
