ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦଙ୍କ ପରିବାରକୁ ଝଟକା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡିର ସମସ୍ୟା ବଢିଛି । ଆଇଆରସିଟିସି ଘୋଟାଲାରେ ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ । ପଦର ଦୁରୂପଯୋଗ କରି ଟେଣ୍ଡର ପ୍ରକ୍ରିୟାରେ ଲାଲୁ ପରିବର୍ତ୍ତନ କରିଛନ୍ତି ବୋଲି କହିଛନ୍ତି କୋର୍ଟ । ଲାଲୁଙ୍କ ସହ ରାବରି ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି କୋର୍ଟ । ଅର୍ଥାତ୍ ଏବେ ଏହି ମାମଲାରେ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିବ । ଲାଲୁ ପ୍ରସାଦ ଯାଦବ,ପତ୍ନୀ ରାବ୍ରି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମକୁ ଗ୍ରହଣ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଲୁ ପ୍ରସାଦ ଯାଦବ ଏକ ହ୍ୱିଲ ଚେୟାରରେ ବସି, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ସହ ଆଜି କୋର୍ଟରେ ହାଜର ହୋଇଥିଲେ । ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଦୁଇଟି IRCTC ହୋଟେଲ ରକ୍ଷଣାବେକ୍ଷଣ ପାଇଁ ଏକ ସଂସ୍ଥାକୁ ଚୁକ୍ତିନାମା ପ୍ରଦାନ କରିବାରେ ଅନିୟମିତତା କରିଥିଲେ । ମାମଲାରେ ମୋଟ ୧୬ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ କରାଯାଇଛି ।
ଦୁର୍ନୀତି ଏବଂ ଠକେଇ ଅଭିଯୋଗରେ ୪୨୦ ଧାରା ସହିତ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(ଡି) ଅନୁଯାୟୀ କେବଳ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଅଭିଯୋଗ ଫଇସଲା ହୋଇଇଛି। କୋର୍ଟ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ତାଙ୍କର ଦୋଷ ସ୍ୱୀକାର କରନ୍ତି କି ? ଏହା ଉପରେ ଲାଲୁ ପ୍ରସାଦ ଯାଦବଙ୍କ ସହିତ ରାବରି ଏବଂ ତେଜସ୍ୱୀ ଯାଦବ ମଧ୍ୟ ସେମାନଙ୍କର ଦୋଷ ମାନିବାକୁ କରିବାକୁ ମନା କରିଦେଇଥିଲେ । ଏହାକୁ ଏକ ମିଥ୍ୟ ମାମଲା ବୋଲି କହିବା ସହିତ ଜେରାର ସମ୍ମୁଖୀନ ହେବେ ବୋଲି କହିଥିଲେ । ତେବେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତମାନେ ଏକ ବିରାଟ ଷଡ଼ଯନ୍ତ୍ରରେ ସାମିଲ ଥିଲେ।
ସୂଚନାନୁସାରେ, ୨୦୦୪ ରୁ ୨୦୦୯ ମଧ୍ୟରେ ୟୁପିଏ ସରକାର ସମୟରେ ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ବଡ଼ ଧରଣର ଜମି ଜାଲିଆତି କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଥିଲା । ରେଳ ବିଭାଗରେ ଗ୍ରୁପ ଡି’ଚାକିରି ବଦଳରେ ପ୍ରାର୍ଥୀମାନଙ୍କ ଠାରୁ ଶାଗମାଛ ଦରରେ ଜମି ହାତେଇଥିଲେ। ଏହି ଜମି ସବୁକୁ ଲାଲୁଙ୍କ ଘନିଷ୍ଠ ଙ୍କୁ ବଣ୍ଟନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଲାଲୁ ଯାଦବ, ରାବ୍ରୀ ଯାଦବ, ତେଜସ୍ୱୀ ଯାଦବ, ବିନୟ କୋଚ୍ଚର, ବିଜୟ କୋଚ୍ଚର, ସରଳା ଗୁପ୍ତା, ଲାରା ପ୍ରୋଜେକ୍ଟସ୍ ଏବଂ ପ୍ରେମ ଚାନ୍ଦ ଗୁପ୍ତା ଆଇଆରସିଟିସି ଦୁର୍ନୀତିରେ ଅଭିଯୁକ୍ତ ଥିବା ବେଳେ ଲାଲୁ ଯାଦବ, ରାବ୍ରୀ ଯାଦବ, ତେଜସ୍ୱୀ, ମୀସା ଭାରତୀ, ତେଜ ପ୍ରତାପ, ହେମା ଯାଦବ ଏବଂ ଅନ୍ୟମାନେ ଜମି ବଦଳରେ ଚାକିରି ମାମଲାରେ ଅଭିଯୁକ୍ତ ଅଛନ୍ତି।
ଏହି ମାମଲାରେ, ସିବିଆଇ ମେ ୨୦୨୨ରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏବଂ ଲାଲୁଙ୍କ ଝିଅ ମୀସା ଭାରତୀଙ୍କ ସମେତ ୧୬ ଜଣଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।
