ଭୁବନେଶ୍ୱର : ଜୟ ଢୋଲକିଆ ପଦ୍ମ ଧରିବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ପହଁଚିଲେ ଜୟ ଢୋଲକିଆ । ନୂଆପଡ଼ା ବିଧାୟକ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଜୟ ଢୋଲକିଆ ଶନିବାର ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବର୍ତ୍ତମାନ ପାର୍ଟି ଅଫିସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଜୟ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି ଏକପ୍ରକାର ସ୍ଥିର ହୋଇସାରିଛି। ଏହାକୁ ନେଇ ବିଜେପି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି।
ସେପଟେ ନୂଆପଡାର ପୂର୍ବତନ ବିଜେପି ବିଧାୟକ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ଆଶା ମଉଳିଯାଇଛି । ଏଥିପାଇଁ ୩ ଘଣ୍ଟା ଧରି ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରିଥିଲେ ବହୁ ବରିଷ୍ଠ ବିଜେପି ନେତା I ରାଜ୍ୟ ଅତିଥି ଭବନରେ ୩ ଘଣ୍ଟା ଧରି ଚାଲିଥିଲା ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଙ୍ଗଠନିକ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରାଇଥିବା ସୂଚନା ରହିଛି । ବୈଠକ ପରେ ରାଜ୍ୟ ଅତିଥି ଭବନରରୁ ବାହାରିଲେ ବସନ୍ତ ପଣ୍ଡା, ମନମୋହନ ସାମଲ ଓ ମାନସ ମହାନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ହାରିଯାଇଥିଲେ ।
ଅନ୍ୟପଟେ ନୂଆପଡା ବିଧାନସଭା ଆସନରୁ ବିଜେଡି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ଆଶା ନିରାଶାରେ ପରିଣତ ହୋଇଛି I ଜୟ ଢୋଲକିଆ ବିଜେପିରେ ଯୋଗଦେବାର ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି। ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଢ଼ୀ । ପୂର୍ବରୁ ବିଜେଡି ନେତା ଥିଲେ ପ୍ରସନ୍ନ ପାଢ଼ୀ । ଗତ ନିର୍ବାଚନ ବେଳେ ସେ ବିଜେଡିରୁ ଟିକେଟ୍ ଆଶାୟୀ ରହିଥିଲେ । ହେଲେ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ତେଣୁ ପ୍ରସନ୍ନ ପାଢ଼ୀ ୨୦୧୪ରେ ବିଜେପିରେ ମିଶିଥିଲେ । ଆଜି ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରସନ୍ନ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି
