ରାଉରକେଲା : ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଆଇଇଡି ବ୍ଲାଷ୍ଟ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ବିସ୍ଫୋରଣରେ ସିଆରପିଏଫ୍ର ଜଣେ ଯବାନ ସହିଦ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାମ କନଷ୍ଟେବଳ ମହେନ୍ଦ୍ର ଲକସର ବୋଲି ଜଣାପଡିଛି। ଦୁଇ ଆହତ ଯବାନ ରାମକୃଷ୍ଣ ଗାଗରାଇ ଏବଂ ଇନ୍ସପେକ୍ଟର କୌଶଳ ମିଶ୍ରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଉଭୟଙ୍କୁ ସେଠାରୁ ରାଞ୍ଚି ଅଭିମୁଖେ ଏୟାରଲିଫ୍ଟ କରାଯାଇଛି। ସେହିପରି ଏହି ଏନ୍କାଉଣ୍ଟରରେ ଯବାନ ମହେନ୍ଦ୍ର ଲକ୍ସରଙ୍କ ମୃତଦେହକୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ରାଞ୍ଚିରେ ଗାର୍ଡ ଅଫ ଅର୍ନର ଦିଆଯିବ ପରେ ତାଙ୍କ ପୈତୃକ ଗାଁ ଆସାମଙ୍କୁ ପଠାଯିବ ବୋଲି ସୂଚନା ମିଳିଛି।
ଘଟନାନୁସାରେ,ଶୁକ୍ରବାର ଅପରାହ୍ନରେ ସୀମାନ୍ତ ଝାଡଖଣ୍ଡ ଜରେଇକେଲା ସରଣ୍ଡା ରାଟାମାଟି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ଜଙ୍ଗଲରେ ଲୁଚି ଥିବା ମାଓବାଦୀ ସହିତ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ଯାହାଫଳରେ ଦୀର୍ଘ ସମୟ ଧରି ଜଙ୍ଗଲରେ ଗୁଳିବିନମୟ ଜାରି ରହିଥିଲା । ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଆଇଇଡି ପୋତିଥିଲେ ମାଓବାଦୀ । ଏହି ସର୍ଚ୍ଚ ଅପରେସନ ସମୟରେ ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।
