ଅନନ୍ୟ ସେବାର ପ୍ରତୀକ : ଉତ୍କଳମଣି ଗୋପବନ୍ଧୁ

0

ଭଗବାନଙ୍କ ସୃଷ୍ଟିରେ ଯେଉଁ ମହାନ ପୁରୁଷ ମାନେ ଜନ୍ମ ନିଅନ୍ତି ସେମାନଙ୍କ ସମଗ୍ର ଜୀବନ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ । ସେଥିମଧ୍ୟରୁ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଜଣେ ଅନନ୍ୟ ନିଃସ୍ୱାର୍ଥପର ଦେଶପ୍ରେମୀ । ସେ ୧୮୭୭ ମସିହା ଅକେଫାବର ୯ ତାରିଖ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଦେଶ ସେବକ, ରାଜନୀତିଜ୍ଞ, ସାମ୍ବାଦିକ, ବିଧାୟକ, ସମାଜ ସଂସ୍କାରକ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ଅମର ହୋଇ ରହିଛନ୍ତି । ତାଙ୍କର ମହତ ଚିନ୍ତାଧାରା ଓ ଜୀବନ ଦର୍ଶନ ଆଜି ବି ସମଗ୍ର ବିଶ୍ୱକୁ ଦିଗଦର୍ଶନ ପ୍ରଦାନ କରୁଛି । ଉତ୍କଳବାସୀଙ୍କ ହୃଦୟରେ ଉତ୍କଳରମଣି ହୋଇ ସେ ରହିଛନ୍ତି । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସେହି ମହାନ ଆତ୍ମାଙ୍କୁ ଆଜି ବି ସମଗ୍ର ଦେଶ ମନେ ରଖିଛି । ସେ ଅଳ୍ପ ବୟସରେ ତାଙ୍କ ମାତାଙ୍କୁ ହରାଇ ଥିଲେ । ତାଙ୍କ ପିଉସୀ ତାଙ୍କର ଲାଳନ ପାଳନ କରିଥିଲେ ।
ସେ ପୁରୀରୁ ମାଟ୍ରିକ ପାସ କରି କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ବହୁତ ଅଳ୍ପ ବୟସରେ ବିବାହ ହୋଇଥିଲେ ମଧ୍ୟ ପାଠ ପଢା ଜାରି ରଖିଥିଲେ । ସମାଜ ସେବାକୁ ସେ ତାଙ୍କ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ସେ “ପୁରୀ ସେବା ସମିତି’ ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶର ପରିଚ୍ଛନ୍ନତା ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ । ତାଙ୍କ ନେତୃତ୍ୱରେ ସାକ୍ଷୀଗୋପାଳର ବକୁଳ ବନ ନିକଟରେ ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ଶିକ୍ଷା ଆରମ୍ଭ କରାଯାଇଥିଲା । ଗୋପବନ୍ଧୁଙ୍କ ସହ ପଞ୍ଚସଖା ନୀଳକଣ୍ଠ ଦାଶ, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ଗୋଦାବରିଶ ମିଶ୍ର ମଣିଷ ତିଆରି କାରଖାନାର ଭିତ୍ତି ପକାଇଥିଲେ ।
ଗୋପବନ୍ଧୁ ସଦାସର୍ବଦା ମାତୃଭୂମି ପାଇଁ ସମର୍ପିତ ଥିଲେ । ସେ ଲେଖିଥିଲେ-
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲିଯାଆନ୍ତୁ ପିଠିରେ,
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼,
ପୁରୁ ତହିଁ ପଡ଼ି ମୋର ମାଂସ ହାଡ’ ।
ସେ ସମଗ୍ର ଦେଶବାସୀଙ୍କୁ ନିଜ ପରିବାର ଭାବୁଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରିଥିଲେ । ମାତୃଭୂମି ଏବଂ ମାତୃଭାଷାର ସୁରକ୍ଷା ପାଇଁ ସଦା ସର୍ବଦା ତତ୍ପର ଥିଲେ । ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ପରେ କଲିକତାରେ ବିଏଲ ପଢ଼ିଲେ । ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ “ଓଡ଼ିଆ ଶ୍ରମିକ ସଂଘ’ ଗଠନ କରିଥିଲେ । ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ । ୧୯୧୯ ମସିହାରେ ସେ ସାପ୍ତାହିକ “ସମାଜ’ ଖବରକାଗଜ ପ୍ରକାଶ କରିଥିଲେ । ୧୯୩୦ରେ ଏହା ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଗୋପବନ୍ଧୁ ନିଜ ଜୀବନକୁ ଦେଶ ମାତୃକାର ସେବାରେ ସମର୍ପିତ କରି ଦେଇଥିଲେ । ଏହି ମହାନ ଜନନାୟକଙ୍କର ୧୯୨୮ ମସିହା ଜୁନ ୧୭ ତାରିଖରେ ଦେହାନ୍ତ ହୋଇଥିଲା । ଆଜି ସେଇ ଯୁଗଜନ୍ମା ବରପୁତ୍ର ସମଗ୍ର ଓଡ଼ିଆ ଜାତି ନିକଟରେ ଅମର ହୋଇ ରହି ଯାଇଛନ୍ତି ।

ରାଜସ୍ମିତା ବାରିକ୍‌
ନୀଳଗିରି, ବାଲେଶ୍ୱର

Launching Ceremony of “AYUSHMAN BHARAT
Leave A Reply

Your email address will not be published.