ପାଟନା: ବିହାରରେ ସ୍ବତନ୍ତ୍ର ଭୋଟର ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ସଫଳ ହୋଇଛି। ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ବିହାର ଏସ୍ଆଇଆର୍ ପ୍ରକ୍ରିୟା ମତଦାନ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ସୁରକ୍ଷିତ କରିବାରେ ନିର୍ଣ୍ଣାୟକ ହେବ ବୋଲି ସିଇସି କହିଛନ୍ତି। ବିହାରରେ ଏହାର ସଫଳ ପରୀକ୍ଷଣ ପରେ ଏବେ ଏସ୍ଆଇଆର୍କୁ ସାରା ଦେଶରେ ଲାଗୁ କରାଯିବ ବୋଲି ସିଇସି ସ୍ପଷ୍ଟ କରିଛନ୍ତି। ଏହା ସହିତ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ପୋଲିଂ ବୁଥରେ ୧୦୦% ୱେବକାଷ୍ଟିଂ କରାଯିବ ଏବଂ ଏଭଳି ପଦକ୍ଷେପ ଗ୍ରହଣରେ ବିହାର ଭାରତର ପ୍ରଥମ ରାଜ୍ୟ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏସ୍ଆଇଆର୍ ହେଉଛି ମତଦାନ ତାଲିକାର ସ୍ବତନ୍ତ୍ର ରିଭିଜନ ପ୍ରକ୍ରିୟା, ଯାହା ମତଦାତା ତାଲିକାର ସଂଶୋଧନ,ପୋଲିଂ ବୁଥ୍ର ସୁପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ ଏବଂ ମତଦାନ ପ୍ରକ୍ରିୟାର ସୁଧାର ଉପରେ କେନ୍ଦ୍ରିତ। ବିହାରରେ ଏହା ଜୁନ୍ ୨୪ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରତି ବୁଥରେ ମତଦାତା ସଂଖ୍ୟାକୁ ୧,୫୦୦ରୁ ୧,୨୦୦କୁ ସୀମିତ କରାଯାଇଛି। ଫଳରେ ପୋଲିଂ ବୁଥ ସଂଖ୍ୟା ୭୭,୮୯୫ରୁ ବୃଦ୍ଧି ପାଇ ୯୦,୭୧୨କୁ ପହଞ୍ଚିଛି। ଏହା ମତଦାନରେ ଭିଡ଼ ହ୍ରାସ କରିବା ଏବଂ ମତଦାନ ପ୍ରତିଶତକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି।
