ଯୋଧପୁର : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୨୦୧୨ ମସିହାର ଏକ ଆକ୍ରମଣ ମାମଲାରେ ୧୬ ଜଣ ଦୋଷୀ ରାଜସ୍ଥାନର ଯୋଧପୁର ମାଜିଷ୍ଟ୍ରେଟ କୋର୍ଟରୁ ଖସି ପଳାଇଛନ୍ତି। ଗତ ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାରେ ସେମାନଙ୍କୁ ଅଦାଲତ ୭ ବର୍ଷ ଜେଲ୍ଦଣ୍ଡାଦେଶ ଶୁଣାଇଥିବା ବେଳେ ସେମାନେ ଜେଲ୍ରୁ ଖସି ଯାଇଛନ୍ତି। ୨୦୧୨ ଜାନୁଆରି ୩୧ ତାରିଖରେ ଯୋଧପୁର ଜିଲ୍ଲାର ଓସିଆନ ସବ୍ଡିଭିଜନ୍ ଅଧୀନସ୍ଥ ପଦସାଳା ଗ୍ରାମରେ ପାଖାପାଖି ୧୫୦ରୁ ୨୦୦ ଲୋକ ଏକ ବସତିକୁ ଟାର୍ଗେଟ୍ କରିଥିଲେ ଏବଂ ଘର ଜାଳି ଦେଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଅଭିଯୋଗକାରୀ ପୋକରାମ ପରେ ଓସିଆନ ଥାନାରେ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ବିଗତ ବର୍ଷଗୁଡ଼ିକ ମଧ୍ୟରେ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କ ବିଚାରଣ ସମୟରେ ମୃତ୍ୟୁ ହୋଇଯାଇଛି। ବାକି ୧୬ ଜଣ ଅଭିଯୁକ୍ତଙ୍କୁ ଉକ୍ତ ମାମଲାରେ ଏସ୍ସି-ଏସ୍ଟି ସ୍ବତନ୍ତ୍ର କୋର୍ଟ ଦୋଷୀସାବ୍ୟସ୍ତ କରି ୭ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ। ସେପ୍ଟେମ୍ବର ୨୬ ଅପରାହ୍ନ ୧ଟାରେ ଏହି ରାୟ ଆସିଥିଲା। କୋର୍ଟ ଏହାପରେ ଦୋଷୀମାନଙ୍କୁ ହାଜତକୁ ନେବାପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ସମସ୍ତ ୧୬ ଦୋଷୀ କୋର୍ଟ ପରିସର ଛାଡ଼ି ଖସି ପଳାଇଥିଲେ। ପାଖାପାଖି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ଖବର ସଂକ୍ରାନ୍ତରେ କିଛି ଜଣା ପଡ଼ିନଥିଲା। ତେବେ କୋର୍ଟ ରିଡର୍ ସଞ୍ଜୟ ପୁରୋହିତ ୧୬ ଦୋଷୀ କୋର୍ଟ ପରିସରରୁ ଖସି ଯାଇଥିବା ନେଇ ଉଦୟ ମନ୍ଦିର ଥାନାରେ ମାମଲା ରୁଜୁ କରିବାପରେ ଏସଂକ୍ରାନ୍ତରେ ଜଣାପଡ଼ିଛି।
