ନୂଆଦିଲ୍ଲୀ: ‘ ମାମା ପ୍ଲିଜ୍ ଏମିତି କରନା’। ଜଣେ ବାଳକ ଅତି ନିରୀହ କଣ୍ଠରେ ପଂଜାବୀରେ ଏମିତି କହୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ତାଙ୍କର ବୟସ୍କ ଶାଶୂଙ୍କ ଚୁଟି ଟାଣି ଏବଂ ତାଙ୍କୁ ଚାପୁଡ଼ା ମାରି ନିର୍ମମ ଅତ୍ୟାଚାର ଦେଉଛନ୍ତି। ଏଭଳି ଅମାନବୀୟ ଆଚରଣ ଦେଖାଇଥିବା ବୋହୂଙ୍କ ପୁଅ ତଥା ନିର୍ଯାତିତ ବୁଢ଼ି ମା’ଙ୍କ ନାତି କିନ୍ତୁ ଏହି ପୂରା ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ୍ କରିଦେଇଛନ୍ତି। ସେ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ। ବାରମ୍ବାର ଏମିତି ହୁଏ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ତାଙ୍କ ଜେଜେ ମା’ଙ୍କୁ ନିୟମିତ ମାଡ଼ ମାରନ୍ତି। ପଞ୍ଜାବ ଗୁରୁଦାସପୁରର ଏହି ଘଟଣା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ହରଜିତ କୌର ନାମକ ଜଣେ ମହିଳା ତାଙ୍କ ଶାଶୂ ଗୁରବଜନ କୌରଙ୍କ ଚୁଟି ଧରି ତାଙ୍କୁ ଘୋଷାଡ଼ୁଛନ୍ତି। ମା’ଙ୍କୁ ଛାଡ଼ି ଦେବାପାଇଁ ପୁଅ ବାରମ୍ବାର ଅନୁରୋଧ କରିବାପରେ ସେ ବୁଢ଼ି ମା’ଙ୍କ ଚୁଟି ଛାଡ଼ି ଦେଇଥିଲେ। କିନ୍ତୁ ଆଗକୁ ଏମିତି ମାଡ଼ ଜାରି ରଖିବେ ବୋଲି ଧମକ ଦେଇଥିଲେ।
