ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅସ୍ଥିରତା ଆଜି ତୃତୀୟ ଦିନରେ ପହଞ୍ଚିଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନୀ ସୁରକ୍ଷାବାହିନୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ୧୨ ଜଣଙ୍କର ମୃତ୍ୟୁ ହୋଇଗଲାଣି। ଗତ କିଛି ବର୍ଷ ମଧ୍ୟରେ ପିଓକେରେ ପାକିସ୍ତାନ ସରକାର ବିରୋଧରେ ଏହା ସବୁଠାରୁ ବଡ଼ ସଂଘର୍ଷ। ପିଓକେରେ ଜନସାଧାରଣଙ୍କ ୩୮ଟି ପ୍ରମୁଖ ଦାବି ପୂରଣ କରିବାରେ ପାକ୍ ସରକାର ବିଫଳ ହେବାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଥିବାବେଳେ ଆନ୍ଦୋଳନକାରୀ ଦଦ୍ୟାଲ୍ରେ ସେନା ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପିଓକେର ମୁଜାଫରବାଦ ବାଦ୍ ରାୱଲକୋଟ, ନିଲମ ଭ୍ୟାଲି ଏବଂ କୋଟଲିକୁ ହିଂସା ବ୍ୟାପିଛି। ରିପୋର୍ଟ ଅନୁଯାୟୀ ଗୁଳିମାଡ଼ରେ ମୁଜାଫରବାଦରେ ୫ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଧୀରକୋଟରେ ୫ ଏବଂ ଦଦ୍ୟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଘର୍ଷରେ ୩ ପୁଲିସ ମଧ୍ୟ ନିହତ ହୋଇଛନ୍ତି। ୨୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
