ଭୁବନେଶ୍ୱର: ମଧ୍ୟସ୍ଥତା ମାଧ୍ୟମରେ ବହୁ ବିଚାରାଧୀନ ମାମଲାର ସମାଧାନ ହୋଇପାରିବ । ଦୀର୍ଘ ଦିନ ଧରି ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର । ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା (ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି । ମେଡିଏସନ ଲ’ ବା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସମାଜ ଜୀବନକୁ ଅଧିକ ସହଜ କରୁଛି ।
ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷା ନୀତି ବହୁଭାଷୀ ଶିକ୍ଷା ତଥା ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଥମିକତା ଦେଉଛି । ଠିକ୍ ସେହିପରି, ଭାରତୀୟ ନ୍ୟାୟ ବ୍ୟବସ୍ଥା ବିଭିନ୍ନ ରାଜ୍ୟରେ ଭାରତୀୟ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ କାର୍ଯ୍ୟ କରୁଛି, ଯାହା ପ୍ରଶଂସନୀୟ । ସେ କହିଥିଲେ ଯେ ମେଡିଏସନ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ଏହା ହେଉଛି ଚିନ୍ତାଧାରା ପ୍ରକ୍ରିୟା ଏବଂ ଦୈନନ୍ଦିନ ଜୀବନର ଅଂଶ ।

Comments are closed.