ଭୁବନେଶ୍ୱର : ପୂଜା ପୂର୍ବରୁ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ଜୋରଦାର ହୋଇଛି ଅପରେସନ ପ୍ରହାର । ଶନିବାର ଅବକାରୀ ବିଭାଗ ସାଲିଆ ସାହିର ନୀଳଚକ୍ରନଗର ବସ୍ତିରେ ଦେଶୀ ମଦ ଭାଟି ଉପରେ ଚଢାଉ କରି ୫ ହଜାର ଲିଟର ଦେଶୀ ମଦ ଏବଂ ୧୬ ହଜାର ଲିଟର ପୋଚ ଜବତ କରିଥିଲା। ରବିବାର ପୁଣି ଥରେ ବିଭାଗ ସାଲିଆ ସାହିର ପଣ୍ଡା ନଗରରେ ଥିବା ମଦ ଭାଟି ଉପରେ ଚଢ଼ାଉ କରି ମାଟିରେ ମିଶାଇ ଦେଇଛି। ଚଢାଉ ସମୟରେ ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର ଠାବ ହୋଇଛି । ତେବେ ଚଢ଼ାଉ ଖବର ପାଇ ଭାଟି ମାଲିକ ଫେରାର୍ ହୋଇଯାଇଥିଲା।
ସୂଚନା ମୂତାବକ ଶନିବାର ଅବକାରୀ ବିଭାଗ ପକ୍ଷରୁ ସଲିଆସାହିରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ୧୬ ହଜାର ଲିଟର ପୋଚ ସହ ୫ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା । କିଛି ମାସ ତଳେ ଉକ୍ତ ଭାଟିରେ ଅବକାରୀ ବିଭାଗ ତାଲା ପକାଇଥିଲା। ମାଲିକକୁ ମଧ୍ୟ ଗିରଫ କରିଥିଲା। ଜାମିନ୍ ପାଇବା ପରେ ସେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିଥିଲା।
ଗତ ୨୦୨୫ ମାର୍ଚ୍ଚ ୧୪ ତାରିଖରେ ମଧ୍ୟ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସେଇ ସାଲିଆସାହିରେ ରେଡରୁ ୬ଟି ଦେଶୀ ମଦ ଭାଟି ଠାବ କରାଯିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଥିଲା। ଏପରିକି ବର୍ଷକ ମଧ୍ୟରେ ପାଖାପାଖି ୫ ଥର ରେଡ ପରେ ବି କେମିତି ପୁଣି କାରାବର ଚାଲିଛି ତାହା ତାଜୁବ କରୁଛି । ଅବକାରୀ ଅଧୀକ୍ଷକଙ୍କ କହିଛନ୍ତି ଏଥର ସମ୍ପୂର୍ଣ୍ଣ ଚେର ନ ଉପୁଡ଼ିବା ଯାଏଁ ଅପରେସନ୍ ଜାରି ରହିବ।

Comments are closed.