ଗୌହାଟୀ: ସିଙ୍ଗାପୁରରେ ଏକ ଦୁଃଖଦ ସ୍କୁବା ଡାଇଭିଂ ଦୁର୍ଘଟଣାରେ ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ପରଲୋକ ହୋଇଛି। ଆସାମ ସରକାର ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ୧୦ ଜଣିଆ ଏସ୍ଆଇଟି ଗଠନ କରିଥିବା ବେଳେ ଗୁରୁବାର ମାମଲାରେ ତଦନ୍ତ ଆଗକୁ ବଢ଼ିଛି। ଜୁବିନ୍ଙ୍କ ସହିତ ସିଙ୍ଗାପୁର ଗସ୍ତ ସମୟରେ ଉପସ୍ଥିତ ଥିବା ସଙ୍ଗୀତଜ୍ଞ ଶେଖର ଜ୍ୟୋତି ଗୋସ୍ବାମୀଙ୍କୁ ଏସ୍ଆଇଟି ଅଟକ ରଖିଛି। ତାଙ୍କୁ ଜୁବିନ୍ଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ପଚରାଉଚରା କରାଯିବ। ଏନେଇ ଏସ୍ଆଇଟି ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ। ଏହାପୂର୍ବରୁ ଏସ୍ଆଇଟି ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ଉତ୍ତରପୂର୍ବ ଭାରତ ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହନ୍ତଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। କିନ୍ତୁ ଉଭୟ ସେହି ସମୟରେ ଘରେ ଉପସ୍ଥିତ ନଥିଲେ। ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ଘର ବାହାରେ ଏସ୍ଆଇଟି ଟିମ୍କୁ ସୁରକ୍ଷା ଯୋଗାଉଥିବା ପୁଲିସକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିଛି ଲୋକ ସେଠାରେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ପ୍ରଦର୍ଶନକାରୀ ମୁଖ୍ୟ ଫାଟକକୁ ଭାଙ୍ଗି ଆପାର୍ଟମେଣ୍ଟ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ପ୍ରଦର୍ଶନକାରୀଙ୍କୁ ଉସୁକାଇବା ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଥିଲା। ଯଦି ଏହି ମାମଲାରେ ଏସ୍ଆଇଟି ତଦନ୍ତ ସନ୍ତୋଷଜନକ ନହୁଏ ତେବେ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।

Comments are closed.