ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପ୍ରକୃତିର ତାଣ୍ଡବ । ଭୟଙ୍କର ବର୍ଷା ଯୋଗୁଁ କଲକତାରସ୍ଥତିଟି ଅସମ୍ଭାଳ । ସୋମବାର ରାତିରୁ ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା । ସାରା ସହର ଜଳମଗ୍ନ । ରାସ୍ତା ଘାଟ ସହ ଘରେ ଘରେ ପାଣି ପଶି ଏକାକାର । ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ସ୍କୁଲ କଲେଜ ସହ ମେଟ୍ରୋ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସୃଷ୍ଟି ହୋଇଛି । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ କଷ୍ଟକର ହୋଇଯାଇଛି । ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମି ରହିଛି । ଦୁର୍ଗା ପୂଜା ପ୍ରସ୍ତୁତିରେ ବଡ଼ ବାଧକ ସାଜିଛି ବର୍ଷା । ନିର୍ମାଣ ହେଉଥିବା ବିଭିନ୍ନ ପେଣ୍ଡାଲ ଭୁଶୁଡି ପଡିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଲିପୁରରେ ୨୪୭ ମିଲିମିଟର ବର୍ଷା ରକେର୍ଡ ହୋଇଛି ।
ଗରିଆ କମଦାହାରିରେ ୩୩୨ ମିଲିମିଟର, ଯୋଧପୁରରେ ୨୮୫, କାଳୀଘାଟରେ ୨୮୦ ଓ ତପସିଆରେ ୨୭୫ , ବେଲିଗଞ୍ଜରେ ୨୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ହାୱଡ଼ା ଷ୍ଟେସନ, ସିଆଲଦା ସାଉଥ ଷ୍ଟେସନ ଓ ଚିତପୁର ନର୍ଥ କ୍ୟାବିନ ଅଞ୍ଚଳରେ ରେଳ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । କୋଲକାତା ମେଟ୍ରୋ ସର୍ଭିସ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି ।
ମଙ୍ଗଳବାର ଦିନ ରାତିସାରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଅଧିକ ପ୍ରବଳ ବର୍ଷା କରାଇପାରେ । ଏହା ବ୍ୟତୀତ, ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ବର୍ଷାକୁ ଆହୁରି ତୀବ୍ର କରିପାରେ ।

Comments are closed.