ପିତୃପକ୍ଷ ଶ୍ରାଦ୍ଧ ଓ ମହାଳୟା

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଉଦ୍ଦେଶ୍ୟରେ ମହାଳୟା ଅମାବାସ୍ୟାର ପ୍ରଥା ଅତ୍ୟନ୍ତ ପ୍ରାଚୀନ । କେହି କେହି ଏହାକୁ ପିତୃପକ୍ଷ ଶ୍ରାଦ୍ଧ ବୋଲି ମଧ୍ୟ କହିଥାଆନ୍ତି । ମହାଳୟା ଅର୍ଥାତ ମହାନ ଆଳୟ, ଆଳୟ କହିଲେ ଗୃହକୁ ବୁଝାଇଥାଏ । ସେହିପରି ଶ୍ରଦ୍ଧା ଶବ୍ଦରୁ “ଶ୍ରାଦ୍ଧ’ ଶବ୍ଦର ଉତ୍ପନ୍ନ ହୋଇଛି । ପିତୃପୁରୁଷଙ୍କୁ ଶ୍ରଦ୍ଧା ଅର୍ପଣ ପୂର୍ବକ ସେମାନଙ୍କ ଅମର ଆତ୍ମାର ସଦଗତି ତଥା ସନ୍ତୁଷ୍ଟି ନିମନ୍ତେ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ଭାଦ୍ରବ ମାସ ପ୍ରତିପଦାଠାରୁ ଆଶ୍ୱିନ ମାସ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ । ଅର୍ଥାତ କୃଷ୍ଣପକ୍ଷ ଅମାବାସ୍ୟାର ଅନ୍ତିମ ଦିବସରେ ଯେଉଁ ଶ୍ରାଦ୍ଧ ଦିଆଯାଇଥାଏ , ତାହାକୁ ମହାଳୟା ଶ୍ରାଦ୍ଧ କୁହାଯାଏ । ଏହି ଶ୍ରାଦ୍ଧ ଅର୍ପଣ ଦ୍ୱାରା ପିତୃପୁରୁଷଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାସହିତ ପରିବାରର ସର୍ବରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ଅଛି । ଏହିଦିନ ପିତୃକୂଳ ଓ ମାତୃକୂଳ ଉଭୟଙ୍କୁ ପିଣ୍ଡଦାନ କରାଯିବାର ବିଧି ରହିଛି । ତାଙ୍କ ସ୍ମରଣାର୍ଥେ ବା ତାଙ୍କରି ଉଦ୍ଦେଶ୍ୟରେ ଏଇ ପିତୃପକ୍ଷ/ ଅପରପକ୍ଷ ପାଳନ କରାଯାଇଥାଏ । ଏହିଦିନ ସେମାନଙ୍କୁ ଶ୍ରଦ୍ଧାରେ ପିଣ୍ଡଦାନ କରାଯାଏ । ଶ୍ରଦ୍ଧାରେ ଏହା ଅର୍ପିତ ହେଉଥିବାରୁ ଏହାକୁ ଶ୍ରାଦ୍ଧ ବୋଲି କୁହାଯାଏ । ପୌରାଣିକ କଥାବସ୍ତୁ ଅନୁସାରେ ମାତା ସୀତା ସ୍ୱୟଂ ନିଜ ସ୍ୱର୍ଗବାସୀ ଶ୍ୱଶୁର ରାଜା ଦଶରଥଙ୍କର ପିଣ୍ଡଦାନ ବାଲିରେ କରିଥିଲେ । କେବଳ ବିବାହିତା ନାରୀ ଓ ଅବିବାହିତା କନ୍ୟା ପିଣ୍ଡଦାନ କରିପାରିବେ ବୋଲି ପୁରାଣରେ ବର୍ଣ୍ଣନା ରହିଛି ।
ଏହି ପିତୃପକ୍ଷ ବା ଅପରପକ୍ଷ ସମୟ ମଧ୍ୟରେ ନଖ, ଚୁଟି, କେଶ ଇତ୍ୟାଦି କାଟିବା ଅନୁଚିତ । ଅନ୍ୟ କାହାଘରେ ଭୋଜନ କରିବା ମଧ୍ୟ ବାରଣ ହୋଇଥାଏ । ଶାସ୍ତ୍ରରେ ବର୍ଣ୍ଣିତ ଅନୁସାରେ ଏହି ସମୟରେ ପୂର୍ବ ପୁରୁଷମାନେ ମର୍ତ୍ତ୍ୟଲୋକକୁ ଆସିଥାନ୍ତି ସେମାନଙ୍କର ସମ୍ପର୍କୀୟଙ୍କୁ ଦେଖିବାପାଇଁ । ଏହି ସମୟ ଅତ୍ୟନ୍ତ ଶୁଭଙ୍କର ହୋଇଥିବାରୁ ପୂର୍ବ ପୁରୁଷମାନଙ୍କୁ ଶ୍ରଦ୍ଧାରେ ପିଣ୍ଡଦାନ କଲେ ସେମାନଙ୍କର ଶୁଭାଶିଷ ମିଳିଥାଏ ଓ ସର୍ବମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପ୍ରଶାନ୍ତ କୁମାର ନାୟକ

Launching Ceremony of “AYUSHMAN BHARAT

Comments are closed.