କଳାହାଣ୍ଡି/ମୟୁରଭଞ୍ଜ : ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ । ଭୋଗିବେ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ । ୩ଟି ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । କଳାହାଣ୍ଡି ପୋକ୍ସ କୋର୍ଟ ଗୋଟିଏ ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ।
ସୂଚନା ଅନୁଯାୟୀ ଗତ ଏପ୍ରିଲ ୧୬, ୨୦୨୩ ରେ ବିଜେପୁର ଥାନା ଅଞ୍ଚଳରେ ୨ ନାବାଳିକାଙ୍କ ସହ ଜଣେ ଯୁବତୀ ନାଟକ ଦେଖି ଭୋର ୩ ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ପାଜି ବହାଲି ବ୍ରିଜ ନିକଟରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। । ଏହାପରେ ବର୍ତ୍ତିଯାଇଥିବା ଯୁବତୀଙ୍କ ସହ ପୀଡ଼ିତାଙ୍କ ପରିବାର ଲୋକେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ସ୍ଥାନୀୟ ପୋକ୍ସ କୋର୍ଟ ବିଚାରପତି ମୁଖ୍ୟ ଅଭିଯୁକ୍ତ ରାଜୀବ ଲୋଚନ ସାହୁଙ୍କ ସହିତ ଧନେଷ୍ଟି ନାଏକ, ଅମର ହରିଜନ ଓରଫ ଆଏବନ୍, ସୁମନ୍ତ ହରିଜନ ଏବଂ ରାଜୀବ ମାଝୀ ଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ୨ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୬୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୬ ମାସ କାରାଦଣ୍ଡ ଭୋଗିବେ । ଅଭିଯୁକ୍ତ ହେଉଛି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ମାଙ୍କିଡିଡ଼ିହି ଗ୍ରାମର ଜମାଦାର ବୁରିଉଳି(୩୪ )। ପୀଡିତାକୁ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ପ୍ରତିମା ପାତ୍ର ।
ସୂଚନାନୁସାରେ,ଗତ ୨୦୨୧ ଅଗଷ୍ଟ ୨୪ ତାରିଖରେ ପୀଡିତାଙ୍କ ଗ୍ରାମରେ ଭୋଜି ହେଉଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଘଟଣା ବାବଦରେ ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ତିରିଂ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ତିରିଂ ପୋଲିସ କେସ ନଂ 83/25-08-2021 ରେ ମାମଲା ରୁଜୁ କରି ନାବାଳିକାର ବୟାନ ରେକର୍ଡ କରିଥିଲା। ଏଥି ସହିତ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି।

Comments are closed.