ଭୁବନେଶ୍ୱର: ଲାଞ୍ଚ କାରବାରରେ ଫଶୁଛନ୍ତି ଜଣକ ପରେ ଜଣେ ଯୁବ ଅଧିକାରୀ । ଚାକିରୀ ପାଉ ପାଉ ଉପୁରି ଟଙ୍କା ମୋହରେ ପଡି କାର୍ଯ୍ୟରୁ ହେଉଛନ୍ତି ନିଲମ୍ବିତ । ସେହିଭଳି ୨ ଜଣ ନବ ନିଯୁକ୍ତ ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଏବଂ କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ଅଶ୍ୱିନୀ ପଣ୍ଡା ୪୮ ଘଣ୍ଟା ଜେଲରେ ବିତାଇବା ପରେ ଆଇନ ଅନୁଯାୟୀ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ଗତ ୧୧ ତାରିଖରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଅଶ୍ୱିନୀ ପଣ୍ଡା ।
ଅଶ୍ୱିନୀ କୁମାର ପଣ୍ଡା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିଲେ । ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଥିଲା ଭିଜିଲାନ୍ସ । ଅଶ୍ଵିନୀଙ୍କ ସହିତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଅଭିଯୁକ୍ତଦ୍ୱୟଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଏବେ ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ବାମରାର ଭିକି ନାୟକ ତାଙ୍କର ଏକ ଚାଷଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ମାସେ ତଳେ ଆବେଦନ କରିଥିଲେ । ହେଲେ ଜମିର କିସମ ପରିବର୍ତ୍ତନ କରି ରେକର୍ଡ ଅଫ ରାଇଟ୍ସ (ଆର୍ଓଆର୍) ଦେବା ପାଇଁ ତହସିଲ୍ଦାର ଅଶ୍ୱିନୀ ୩୦ ହଜାର ଟଙ୍କା ଦାବି କରିଥିଲେ । ଏତେ ଟଙ୍କା ଦେବାକୁ ଭିକି ଅକ୍ଷମତା ପ୍ରକାଶ କରିବାରୁ ଅଶ୍ୱିନୀ ଲାଞ୍ଚ ଟଙ୍କାକୁ କମାଇ ୧୫ ହଜାର କରିଦେଇଥିଲେ । ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ରୋକଠୋକ କହିଦେଇଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ଭିକି ଭିଜିଲାନ୍ସ ନିକଟରେ ଗୁରୁବାର ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଅଶ୍ୱିନୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ।
ସେହିପରି ଆଜି ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରି ଜୀବିତଙ୍କୁ ମୃତକ ଦର୍ଶାଇଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ମ୍ୟୁଟେସନସନରେ ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ ନିକଟରେ ହୋଇଥିଲା ଅଭିଯୋଗ । ତଦନ୍ତ ପରେ ଅଭିଯୋଗ ସତ୍ୟତା ଥିବା ଜଣାପଡ଼ିବା ପରେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛିଦିନ ବ୍ୟବଧାନ ମଧ୍ୟରେ ମିତାଲି ମଧୁସ୍ମିତା ସମ୍ବଲପୁର ଜିଲ୍ଲାର ଦ୍ବିତୀୟ ତହସିଲଦାର ଭାବେ ନିଲମ୍ବିତ ହୋଇଛନ୍ତି।
ଜମି ମ୍ୟୁଟେସନ ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ ଅଗ୍ରୱାଲ ନାମକ ଜଣେ ସ୍ଥାନୀୟ ବାସିନ୍ଦା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଗୁହାରି କରିଥିଲେ।

Comments are closed.