ଭୁବନେଶ୍ୱର : ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡା ଘାଟି ପରିଦର୍ଶନ କରିଛନ୍ତି। ବଣ୍ଡା ଘାଟିରେ ଥିବା ଆବାସିକ ଛାତ୍ରୀ ବିଦ୍ୟାଳୟ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ରକ୍ତ ହୀନତା ଶିକାର ହେଉଥିବା ଏବଂ ଦୃଷ୍ଟି ଶକ୍ତିର ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ତେଣୁ ରାଜଭବନ ପକ୍ଷରୁ ଛାତ୍ରୀମାନଙ୍କୁ ପ୍ରତ୍ୟେକ ଦିନ ବିଟ, ଗାଜର ସହ ଦୁଇ ପ୍ୟାକେଟ ଚିକି ଦେବାପାଇଁ ଛାତ୍ରୀମାନଙ୍କୁ କହିଛନ୍ତି ରାଜ୍ୟପାଳ ।
ଏହାପରେ,ରାଜ୍ୟପାଳ ଶ୍ରୀ କମ୍ଭମପାଟି ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଏହି ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ କରାଯାଉଛି ତାହା ପଚାରି ବୁଝିଥିଲେ। ଏହି ଅବସରରେ ସେ ୧୫ ଜଣ ଆଦିମ ବଣ୍ଡା ଏବଂ ୧୧ ଜଣ ଦିଦାୟୀ ସମ୍ପ୍ରଦାୟର ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ବଣ୍ଡା ଘାଟିର ବିକାଶ ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ରାଜ୍ୟପାଳ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲିଠାରେ ପହଞ୍ଚିବା ପରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍ପି ବିନୋଦ ପାଟିଲ, ଡିଏଫଓ ସାଇ କିରଣ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳ ବଣ୍ଡା ଘାଟିରେ ପହଞ୍ଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସେମାନେ ରାଜ୍ୟପାଳଙ୍କୁ ପବିତ୍ର ସୀତା କୁଣ୍ଡ ଓ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

Comments are closed.