ନେପାଳରେ ସୋସିଆଲ ମିଡ଼ିଆ ବ୍ୟାନ,ବିକ୍ଷୋଭ ପ୍ରଦର୍ଶନ ବେଳେ ୯ ମୃତ

0

କାଠମାଣ୍ଡୁ : ନେପାଳରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ । ଏହାକୁ ନେଇ ହଜାର ହଜାର ଲୋକ ରାଜଧାନୀ କାଠମାଣ୍ଡୁର ରାଜରାସ୍ତାରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ନେପାଳର ଜେନ୍-Z ପିଢ଼ି(୧୯୯୬ ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତି)। ଏହାସହ ଆଜି ନେପାଳ ସଂସଦରେ ମଧ୍ୟ ଏହି ଜେନ୍ -Z ପିଢ଼ି ଧସେଇ ପଶିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଓ ପାଣି ମାଡ କରିବାକୁ ପଡିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ନେପାଳ ପୁଲିସ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ପାଖରେ କର୍ଫ୍ୟୁ ଲଗାଇ ଦେଇଛି । ଯେମିତି ପ୍ରଦର୍ଶନକାରୀ ଭିଭିଆଇପିଙ୍କ ଆବାସକୁ ପ୍ରବେଶ ନ କରିପାରିବେ ।

ଏହି ପ୍ରଦର୍ଶନକାରୀ ନେପାଳରେ ସୋସିଆଲ ମିଡିଆ ବ୍ୟାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାକୁ ଦୃଷ୍ଟିରେ କାଠମାଣ୍ଡୁରେ କର୍ଫ୍ୟୁ ଲଗାଯାଇଛି । ବିକ୍ଷୋଭକାରୀ ସଂସଦର ଗେଟ୍ ନମ୍ବର-୨ ନିକଟରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । କାଠମାଣ୍ଡୁରେ ଜେନ-Z ପିଢିଙ୍କ ବିକ୍ଷୋଭ ଉଗ୍ର ହେବା ପରେ ନେପାଳୀ ସେନାକୁ ମୁତୟନ କରିବାକୁ ଆଦେଶ ଦିଆଯାଇଛି । ବିକ୍ଷୋଭକାରୀମାନେ କାଠମାଣ୍ଡୁ ଦେଇ ଶୋଭାଯାତ୍ରା କରିବା ସମୟରେ “ସୋସିଆଲ୍ ମିଡିଆ ନୁହେଁ ଦୁର୍ନୀତି ବନ୍ଦ କର”, “ସୋସିଆଲ୍ ମିଡିଆ ପ୍ରତିବନ୍ଧକ ହଟାଅ”, ଏବଂ “ଦୁର୍ନୀତି ବିରୁଦ୍ଧରେ ଯୁବପିଢ଼ି” ଭଳି ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରିଥିବାର ଦେଖାଯାଇଥିଲା । ନେପାଳ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡକାଇଛି । ପୋଲିସ ସୋମବାର ରାତି ୧୦ଟା ଫର୍ଯ୍ୟନ୍ତ କର୍ଫ୍ୟୂ ଲାଗୁ କରିଛି ।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏହି ନିଷେଧ ସାରା ଦେଶରେ ଲାଗୁ ହେବ।।

ନେପାଳରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାରଙ୍କ ବିରୋଧରେ କାଠମାଣ୍ଡୁର ବିଭିନ୍ନ ସହରରେ ଜେନ-ଜେଡ ଆନ୍ଦୋଳନ ଆରମ୍ଭ ହୋଇଛି । ଦେଶର ନୂଆ ଯୁବ ପିଢିଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟାନ କରାଯିବାଠୁ ନେଇ ଦୁର୍ନୀତି ବିରୋଧରେ ପ୍ରଦର୍ଶନ କରାଯାଉଛି ।

Govt
Leave A Reply

Your email address will not be published.