ଭୁବନେଶ୍ୱର : ଦୀର୍ଘ ୨୪ ପରେ ହଠାତ ବିପର୍ଯ୍ୟୟକୁ ବରଦାସ୍ତ କରିପାରୁନାହାନ୍ତି ବିରୋଧୀ ବିଜେଡି । ଦଳୀୟ ନେତାମାନଙ୍କ ମଧ୍ୟରେ ଜମାଟ ବାନ୍ଧିଥିବା ହତାଶା ମଝିରେ ମଝିରେ ବିସ୍ଫୋରକ ବୟାନର ରୂପ ନେଇ ପଦାକୁ ଆସୁଛି । ବିଶେଷକରି ବରିଷ୍ଠମାନେ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହା ହେବା ମଧ୍ୟ ସ୍ୱାଭାବିକ । ଯେଉଁମାନେ ତୃଣମୂଳ ସ୍ତରରୁ ଦଳକୁ ଗଢି ମହାଦୃମରେ ପରିଣତ କରିଥିଲେ,ହଠାତ ସେହି ଦୃମର ମୁଳୋତ୍ପାଟନକୁ ନେଇ ଦଳ ଭିତରେ ଚାଲିଛି ବାଦବିବାଦ । ପରୋକ୍ଷରେ ପରାଜୟର ସମସ୍ତ ଦାୟ ପାଣ୍ଡିଆନଙ୍କୁ ହିଁ ମୁଣ୍ଡାଇବାକୁ ପଡିଛି । ତାଙ୍କରି ରାଜନୈତକ ସ୍ଟ୍ରାଟେଜି ଦଳର ଦୁର୍ଗତିର କାରଣ ବୋଲି କୁହାଯାଉଛି । କିନ୍ତୁ ଛାମୁଙ୍କ ସାମ୍ନାରେ କେହି ତୁଣ୍ଡ ଖୋଲୁନଥିଲେ ମଧ୍ୟ ସଭା ସମିତିରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି ।
ସେହିପରି ଗୁରୁ ଦିବସ ଅବସରରେ ଦଳର ବରିଷ୍ଠ ନେତା ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାଁ ନନେଇ ପାଣ୍ଡିଆନଙ୍କ ବସ୍ ଗିରି ଉପରେ ପରୋକ୍ଷରେ ବର୍ଷିଥିଲେ ଅରୁଣ ସାହୁ । ପାଣ୍ଡିଆନଙ୍କ ହାକିମାତିକୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରି କହିଛନ୍ତି ,ବାବୁ ପଣିଆ ଦେଖେଇ ହାକିମାତି କରିବା ଆଉ ଅର୍ଡର କରିବା କାମ ସମସ୍ତେ କରି ପାରିବେ ।
ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ଅନ୍ୟକୁ ନୀଚା ଦେଖେଇବାଟା ସମସ୍ତଙ୍କ ହାତରେ ହୋଇ ପାରିବ କିନ୍ତୁ ନମ୍ରତା ଠାରୁ ବଡ ବିଭୂଷଣ କିଛି ନାହିଁ । ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ ଆଶୀର୍ବାଦ, ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି, ଓଡ଼ିଶାର ଦୁର୍ଗତି ପଛରେ ଯିଏ, ତାଙ୍କର ମୁଖା ଖୋଲିବି । ତେବେ ଅରୁଣଙ୍କ ଏହି ବୟାନ ରାଜ୍ୟର ରାଜନୈତିକ ମହଲରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ସେ କାହାର ବାବୁ ପଣିଆକୁ ଇଙ୍ଗିତ କରିଛନ୍ତି ଏବଂ କାହାର ମୁଖା ଖୋଲିବେ ଏହା ସମୟ ହିଁ କହିବ ।
