ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କେରଳ ଶାଖାର ‘ଏକ୍ସ’ରେ କରାଯାଇଥିବା ଏକ ପୋଷ୍ଟକୁ ନେଇ ବିବାଦ ଉପୁଜିଛି। ଶୁକ୍ରବାର କେରଳ କଂଗ୍ରେସ ପକ୍ଷରୁ ଜିଏସ୍ଟି ସଂସ୍କାର ନେଇ ହୋଇଥିବା ଏକ ପୋଷ୍ଟରେ ବିହାରକୁ ବିଡ଼ି ସହିତ ଯୋଡ଼ିବାକୁ ନେଇ ବିବାଦ ଉପୁଜିଛି। ତେବେ କେରଳ କଂଗ୍ରେସ ପକ୍ଷରୁ ଏହି ପୋଷ୍ଟକୁ ହଟେଇ ଦିଆଯାଇଥିଲେ ମଧ୍ୟ ଏହା ବିହାରରେ ଦଳ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି। ଏଥିରେ କୁହାଯାଇଛି, ଉଭୟ ବିଡି ଓ ବିହାର ‘ବି’ରେ ଆରମ୍ଭ ହେଉଛି। ଏବେ ଏହା ଆଉ ପାପ ନୁହେଁ। ସିଗାରେଟ୍ ଓ ଟବାକୋରେ ଜିଏସ୍ଟି ହାର ବଢ଼ିଥିବାବେଳେ ବିଡ଼ିରେ ଏହା କମିବାକୁ ନେଇ ଏଥିରେ ସମାଲୋଚନା କରାଯାଇଛି। କଂଗ୍ରେସ ପକ୍ଷରୁ ହୋଇଥିବା ଏହି ପୋଷ୍ଟକୁ ଶାସକ ଏନ୍ଡିଏ କଡ଼ା ସମାଲୋଚନା କରିଛି। ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ଏହା ବିହାର ପ୍ରତି ଅପମାନ। ପ୍ରଥମେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ଅପମାନିତ କଲେ, ଏବେ ପୂରା ବିହାରକୁ ଅପମାନିତ କରିଛନ୍ତି। ଏହା କଂଗ୍ରେସର ଅସଲ ଚେହେରା। ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ ବାରମ୍ବାର ଏହାର ସୀମା ଅତିକ୍ରମ କରୁଛି। ପ୍ରଧାନମନ୍ତ୍ରୀଙ୍କ ମା’କୁ ଅପମାନ କରିବା ପରେ ଏବେ ବିହାରକୁ ବିଡ଼ି ସହିତ ତୁଳନା କରୁଛନ୍ତି। ଏହାକୁ ତେଜସ୍ବୀ ଯାଦବ ସମର୍ଥନ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ସେ ଦାବି କରିଛନ୍ତି।
