ଭୁବନେଶ୍ୱର : ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱରରେ ପହଁଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଐତିହାସିକ ଜିଏସଟି ହାରରେ ସୁଧାର ଯୋଗୁଁ ଓଡିଶା ଲାଭାନ୍ବିତ ହେବ । ବିଶେଷକରି ମଧ୍ୟବିତ ଉପକୃତ ହେବେ । ୪ଟି ଜିଏସଟି ସ୍ଲାବକୁ ହଟାଇ ୨ଟି ରଖାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀ ସରକାର ଜିଏସଟି କ୍ଷେତ୍ରରେ ଐତିହାସିକ ସଂସ୍କାର ଆଣିଛନ୍ତି । କେବଳ ୨ଟି ସ୍ଲାବ କାର୍ଯ୍ୟକାରୀ ହେବା ଦ୍ୱାରା ସମସ୍ତେ ଲାଭବାନ ହେବେ । ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହ ଟିକସ ହ୍ରାସ ଦ୍ୱାରା କେନ୍ଦୁପତ୍ର ତୋଳାଳିଙ୍କ ରୋଜଗାର ବୃଦ୍ଧି ହେବ। ରାଜ୍ୟ ସରକାର ମଧ୍ୟ ବୋନସ୍ ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନ ଧାରଣ ଉନ୍ନତ ହେବ । ଭିନ୍ନ କୃଷି ଉପକରଣ, ଔଷଧ ସିଞ୍ଚନକାରୀ ଯନ୍ତ୍ର, ଟ୍ରାକ୍ଟର, ସାରରେ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ଦ୍ବାରା ଚାଷୀଙ୍କ ଉପରୁ ଆର୍ଥିକ ବୋଝ ହଟିବ ଓ ଆୟ ବୃଦ୍ଧିରେ ସହାୟକ ହେବ । ସେହିପରି କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । ଓଡ଼ିଶାର ରାଜସ୍ୱ ତିନିରୁ ଚାରି ଗୁଣା ବୃଦ୍ଧି ପାଇବ ।
ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି।
