ଭୁବନେଶ୍ୱର : ଆଜି ଗୁରୁ ଦିବସ । ସାରା ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହାକୁ ପାଳନ କରାଯାଉଛି । ଏହି ଅବସରରେ ଓଡ଼ିଶାରେ ୨ କୃତି ଶିକ୍ଷକଙ୍କୁ ନୂଆଦିଲ୍ଲୀରେ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । ସମ୍ମାନୀତ ୪୫ ଜଣଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୨୧ ଜଣ ମହିଳା ଶିକ୍ଷକ ଅଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଓଡିଶାରୁ ଜାତୀୟ ପୁରସ୍କାର ପାଇଥିବା ୨ କୃତି ଶିକ୍ଷକ ହେଲେ ମାଲକାନଗିରି କିଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ । ପୁରସ୍କାର ସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରା ଯାଇଥିଲା। କାର୍ଯ୍ୟକ୍ରମରେ ଭାରତର ମହାମହିମ ରାଷ୍ଟ୍ରପତି, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ସମସ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଶିକ୍ଷାକ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି ଗୌରବମୟ ମୁହୂର୍ତ୍ତରେ ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ଵିତ କରିଥିବା ଏହି ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
