ନୂଆଦିଲ୍ଲୀ: ଦିଲ୍ଲୀରେ ବିପଦ ସଙ୍କେତ ପାର କରିଛି ଯମୁନା ନଦୀ। ହଥନିକୁଣ୍ଡ ଓ ୱାଜିରାବାଦ ବ୍ୟାରେଜରୁ ଲଗାତାର ଜଳ ଛଡ଼ା ଯାଉଥିବାରୁ ଯମୁନାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ରେଲୱେ ବ୍ରିଜଠାରେ ବିପଦ ସଙ୍କେତ ୨୦୫.୩୩ ମିଟର ହୋଇଥିବାବେଳେ ଏବେ ଜଳସ୍ତର ୨୦୫.୫୨ ମିଟରରେ ରହିଛି। କର୍ତ୍ତୃପକ୍ଷ ଯମୁନା ଉପରେ ନଜର ରଖିଛନ୍ତି। ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଏବଂ ମୟୂରବିହାରଠାରେ ଅସ୍ଥାୟୀ ଶିବିର କରାଯାଇଛି। ପାଣି ୨୦୬ ମିଟରରେ ପହଞ୍ଚିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଆରମ୍ଭ ହେବ। ହଥନିକୁଣ୍ଡ ବ୍ୟାରେଜରୁ ୫୩,୯୫୦ କ୍ୟୁସେକ ଜଳ ଛଡ଼ା ଯାଉଥିବାବେଳେ ୱାଜିରାବାଦରେ ୫୧,୨୧୦ କ୍ୟୁସେକ ଜଳ ଛାଡ଼ୁଛି। ଏହି ପାଣି ଦିଲ୍ଲୀରେ ପହଞ୍ଚିବାକୁ ୪୮ରୁ ୫୦ ଘଣ୍ଟା ସମୟ ଲାଗିବ।
