ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ବିଶେଷକରି ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି I ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଛି ୫୦ ଫୁଟରୁ ଅଧିକ ଏକ ଘାଇ । ଯାଜପୁର ଜିଲ୍ଲାରେ ପ୍ରଭାବିତ ହୋଇଛି ୪୬ଟି ଗାଁ ଓ ୧୪ ପଞ୍ଚାୟତ। ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବି ପ୍ରଭାବିତ ହୋଇଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୈତରଣୀ । ଭଦ୍ରକ ଆଖୁଆପଦା ଠାରେ ବୈତରଣୀ ଏବଂ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଘରକୁ ଫେରିବା ଯାଏଁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ମାଗଣା ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିବ । ବନ୍ୟା ସ୍ଥିତିକୁ ନେଇ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସେହିପରି ବନ୍ୟା ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, “ଏବେ ବନ୍ୟା ପାଣି ଖସୁଛି । ଗତକାଲି ଶୁଖିଲା ଥିଲା । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱରରେ ସ୍ଥିତି ସୁଧୁରିଛି । ଆଗାମୀ ୨୪ ଘଣ୍ଟାରେ ବର୍ଷା ହେବ । ଯାଜପୁର ଜିଲ୍ଲାରେ ୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ଅଛନ୍ତି ।”
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, “ରିଲିଫ୍ ସେଣ୍ଟରକୁ ଅଧିକରୁ ଅଧିକ ଲୋକଙ୍କୁ ଆଣିବାକୁ ଗତ ରାତିରେ ନିର୍ଦ୍ଦେଶ ଦେଇଥିଲି । ମୁଁ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ OSDMA ଯାଜପୁର ଯାଉଛୁ ଆଉ କିଛି ସମୟରେ । ପାଣି ଛାଡିଲେ ଘାଇ ମରାମତି କାମ ଆରମ୍ଭ ହେବ । କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦିଆଯାଇଛି । ଯିଏ ରିଲିଫ ସେଣ୍ଟର ଆସୁ ନାହାନ୍ତି, ତାଙ୍କୁ ପାଇଁ ଖାଦ୍ୟ ଘରକୁ ଦିଆଯାଇଛି । ସ୍ଥାନୀୟ ପୁଲିସ ଘର ସବୁ ଜଗୁଛି ।
